spot_img

Latest Posts

ଟ୍ରାଫିକ୍ ଜାମ୍‌ରେ ଅସ୍ତବ୍ୟସ୍ତ ରାଜଧାନୀ, ଦୁର୍ଗାପୂଜା ପୂର୍ବରୁ ବଢ଼ିଲା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ବେହାଲ ହେଲାଣି ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା। ଚକା ଗଡ଼ିବା କାଠିକର ପାଠ ହୋଇପଡ଼ିଛି। ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ମିଳୁଛି ଯମ ଯନ୍ତ୍ରଣା। ସେପଟେ ଫାଇନ୍ ଆଦାୟରେ ବ୍ୟସ୍ତ ଟ୍ରାଫିକ୍ ପୋଲିସ। ରାଜଧାନୀରେ ଟ୍ରାଫିକ୍ ଜାମ୍ ସ୍ଥିତି ଲୋକଙ୍କୁ ନାକେଦମ କରୁଛି। ଏ ହେଉଛି ଗତକାଲି ପଳାଶୁଣି ଛକର ଦୃଶ୍ୟ। ନାହିଁ ନଥିବା ସମସ୍ୟାରେ ଫସିଥିଲେ ଲୋକେ। ସହରର ମୁଖ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ସବୁଠି ଗାଡ଼ିର ଲମ୍ବା ଲାଇନ୍। ରାଜମହଲରୁ ବାଣୀବିହାର, ରସୁଲଗଡ଼ରୁ କଳ୍ପନା, ଜୟଦେବବିହାରରୁ ପଟିଆ—ଯେଉଁଆଡ଼େ ଦେଖିଲେ ଚାରିଆଡ଼େ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଗାଡ଼ି ଆଗକୁ ଗଡ଼ିବା କାଠିକର ପାଠ ହୋଇପଡ଼ିଛି। କୌଣସି ପର୍ବପର୍ବାଣୀ ପୂର୍ବରୁ ରାଜଧାନୀରେ ଏଭଳି ଟ୍ରାଫିକ୍ ଜାମ୍ ଯୋଗୁଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଜାମ୍ ଯୋଗୁଁ ସାଧାରଣ ଲୋକଙ୍କ ସହ ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ଭ୍ୟାନ୍ ଭଳି ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଛି।

ଏଭଳି ସ୍ଥିତି କମିସନରେଟ୍ ପୋଲିସର ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା, ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଅପରାଗତାକୁ ପଦାରେ ପକାଇଛି ବୋଲି ଅଭିଯୋଗ ହେଉଛି। ପୂର୍ବରୁ କୌଣସି ପର୍ବପର୍ବାଣୀ ଥିଲେ ଜାମ୍‌କୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଥିଲା। ବିଭିନ୍ନ ସମୟରେ ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ସ୍ମାର୍ଟ ସିଟିରେ ବଡ଼ ବଡ଼ ଡିସ୍‌ପ୍ଲେ ଲଗାଯାଇଥିଲା। ପ୍ରଚାର ପ୍ରସାର ପାଇଁ ଟ୍ରାଫିକ୍ ଛକଗୁଡ଼ିକରେ ଅଡିଓ ବ୍ୟବସ୍ଥା ମଧ୍ୟ ରହିଥିଲା। ହେଲେ ଏହି ସବୁ ସେବା ଏବେ ଏକପ୍ରକାର ଠପ୍ ହୋଇଯାଇଛି।  ଅନ୍ୟପଟେ ବିଭିନ୍ନ ସ୍ଥାନରେ ରାସ୍ତାକାମ ଚାଲୁଥିବାରୁ ଏଭଳି ଜାମ୍‌ରୁ କିଭଳି ମୁକ୍ତି ମିଳିବ, ସେନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ପୋଲିସ କମିଶନର। ସେପଟେ ଆଗକୁ ଦୁର୍ଗାପୂଜା। ପରିସ୍ଥିତି ଅଣାୟତ ହେବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ।

Latest Posts

Don't Miss