ସାଲେପୁର : ଭାଙ୍ଗିଲା ସୁରକ୍ଷା କାନ୍ଥ, ଧସିଲା ନଦୀ ବନ୍ଧ, ଲୋକେ ଆତଙ୍କିତ। ଏହା ହେଉଛି କଟକ କିଶନନଗର ବାଙ୍କଳ ନିକଟର ଘଟଣା। ମହାନଦୀ ନଦୀବନ୍ଧ ଦବି ଯିବାରୁ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କିଶନନଗର ତହସିଲ ବାଙ୍କଳ ନିକଟରେ ଶୁକ ପାଇକା ନଦୀ ମହାନଦୀରେ ମିଶିଛି।
ମହାନଦୀ ବନ୍ଧରେ ନିର୍ମିତ ସୁଇସ୍ ଗେଟ୍ ମାଧ୍ୟମରେ ଶୁକ ପାଇକା ପାଣି ମହାନଦୀକୁ ନିଷ୍କାସିତ ହୋଇଥାଏ। ସୁଇସ ଗେଟ୍ ନିର୍ମିତ ସ୍ଥାନରେ ବନ୍ଧର ସୁରକ୍ଷା ପାଇଁ ଉଭୟ ପାର୍ଶ୍ବରେ ସିମେଣ୍ଟ କଂକ୍ରିଟ ସୁରକ୍ଷା କାନ୍ଥ ନିର୍ମାଣ ହୋଇଥିଲା । ମାତ୍ର ନିମ୍ନମାନର କାମ ଯୋଗୁଁ ଉକ୍ତ ସୁରକ୍ଷା କାନ୍ଥ ଭାଙ୍ଗି ଭୁଶୁଡ଼ି ଯାଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲସୁତୁରାରେ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନଦୀବନ୍ଧରୁ ମାଟି ଅତଡା ଖସି ବନ୍ଧରେ ଫାଟ ସୃଷ୍ଟି ହୋଇଛି। ତେଣୁ ଯାନବାହନ ଚଳାଚଳ ନ କରିବା ପାଇଁ ରାସ୍ତା ଉପରେ ବାଲି ବସ୍ତା ଓ ପଥର ରଖାଯାଇଛି।

