spot_img

Latest Posts

ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ହେବ

ଭୁବନେଶ୍ୱର : ଅତି କମରେ ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ହେବ। ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ତିନି ଚାରି ଦିନରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା ପରେ ୨ରୁ ୩° ସେଲସିୟସ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ଦିନ ତାପମାତ୍ରା ୩୫.୮° ସେଣ୍ଟିଗ୍ରେଡ୍ ଥିଲା। ଭୁବନେଶ୍ୱରର ତାପମାତ୍ରା ଥିଲା ୩୫.୨ ଡିଗ୍ରୀ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ପାଗ ରହିବ । ସେପଟେ ଉତ୍ତର-ପୂର୍ବ ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ସମୁଦ୍ର ପତ୍ତନରୁ ପ୍ରାୟ ୯୦୦ ମିଟର ଉଚ୍ଚତାରେ ଏକ ଟ୍ରପ୍ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ କିଛି ଦିନ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ, ଛତିଶଗଡ଼ର ଆହୁରି କିଛି ଅଞ୍ଚଳ ଏବଂ ତେଲେଙ୍ଗାନା ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି।

କୋହଳ ଦଣ୍ଡବିଧାନ ଅପରାଧ ବଢ଼ିବାର ଏକ ବଡ କାରଣ; ଋତୁପର୍ଣ୍ଣା ମହାନ୍ତି, ସାମାଜିକ କର୍ମୀ

Latest Posts

Don't Miss