ଭୁବନେଶ୍ବର : ୮୦ ବର୍ଷ ବୟସରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପପୁଲାରିଟି ଚାର୍ଟରେ ଆଜି ବି ଏକ ନମ୍ବର ଥିବା ନବୀନଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ ପ୍ରାର୍ଥନା କରିଛନ୍ତି । ସରଳ ଜୀବନ ବିତାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜାକଜମକରୁ ଦୂରରେ ରଖନ୍ତି । ହେଲେ ଶୁଭେଚ୍ଛୁମାନେ ନବୀନଙ୍କ ଏକମାତ୍ର ଝଲକ ଦେଖିବାକୁ ବ୍ୟାକୁଳ । ଜନ୍ମଦିନରେ କିପରି ଭାବେ ନିଜ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇବେ, ସେଥିପାଇଁ ଆଜି ସକାଳୁ ନବୀନ ନିବାସରେ ଭିଡ଼ ଜମିଥିଲା । ମୁଖ୍ୟମନ୍ତ୍ରୀ ଥିବା ସମୟରେ ବହୁ ବର୍ଷ ତଳେ ଜନ୍ମଦିନରେ ନବୀନ ନିବାସରେ ଏହି ପରି ଭିଡ଼ ଦେଖିବାକୁ ମିଳୁଥିଲା । ଆଜି ବିରୋଧୀ ଦଳ ନେତା ଥିବା ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ସେହି ପରି ଭିଡ଼ ଜମିଥିଲା । ସ୍କୁଲ ପିଲା, ସ୍ବେଚ୍ଛାସେବୀ ଓ ନେତାଙ୍କ ସମେତ ନବୀନ ଫ୍ୟାନମାନେ ନବୀନ ନିବାସ ଯାଇ ତାଙ୍କୁ ଓ୍ବିସ୍ କରିଥିଲେ । ଭିତରେ ନବୀନଙ୍କ ସହ ସେଲଫି ଓ ଫଟୋ ଉଠାଇବାକୁ ପ୍ରତିଯୋଗିତା ଚାଲିଥିଲା । ଏହି ଅବସରରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନସେବା ଓ ନେତୃତ୍ବକୁ ଭୂୟସୀ ପ୍ରଶଂସା କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ ।
ଗତକାଲି ଛାତ୍ର ସଂସଦ ନିର୍ବାଚନରେ ବି ଦେଖିବାକୁ ମିଳିଥିଲା ନବୀନ ମାନିଆ । ନିର୍ବାଚନ ଜିତିବାକୁ କଳ ବଳ କୌଶଳ ଆପଣେଇଥିବା ସରକାରୀ ଦଳ ଉପରେ କିପରି ନବୀନ ଭାରି ପଡ଼ିଲେ, ସେଥିପାଇଁ ବି ନବୀନଙ୍କୁ ସମସ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ । କାରଣ ନବୀନଙ୍କ ସରଳ ଜୀବନ ସମସ୍ତ ପାଇଁ ପ୍ରେରଣାଦାୟୀ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଯେଉଁ ବିକାଶଧାରାରେ ଓଡ଼ିଶାକୁ ସାମିଲ କରିଥିଲେ, ତାହା ତାଙ୍କୁ ଭାରତର ଏକ ଜନପ୍ରିୟ ନେତା କରି ପାରିଛି । ରାଜନୀତିରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କଥା କମ୍ କାମ ବେଶୀରେ ବିଶ୍ବାସ କରି ଓଡ଼ିଶା ପ୍ରଗତିର ସାରଥୀ ହୋଇ ପାରିଛନ୍ତି ନବୀନ । ନବୀନଙ୍କ କ୍ରେଜ କଣ, ତାହା ସମସ୍ତେ ଜାଣିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ପରି ଆଜି ସୋସିଆଲ ମିଡିଆ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଭରି ଯାଇଛି ।

