ନନ୍ଦିଘୋଷ ବ୍ୟୁରୋ : ଅନ୍ତର୍ଜାତୀୟ ହକିରେ ପୁଣି ଥରେ ନିଜ ଦବଦବା ଜାହିର କରିଛି ଭାରତ। ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିର ଫାଇନାଲ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଟ୍ରଫି ହାତେଇଛି ଭାରତୀୟ ପୁରୁଷ ହକି ଦଳ। ମୋହାଲିସ୍ଥିତ ଅଲିମ୍ପିଆନ୍ ବଲବୀର ସିଂହ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ରେ ବିଜୟ ସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ ଚାମ୍ପିୟନ୍ ହେବାର ଗୌରବ ହାସଲ କରିଛି।
ଏହି ବିଜୟ ସହ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଇତିହାସରେ ଷଷ୍ଠ ଥର ପାଇଁ ଟାଇଟଲ୍ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି। ଦଳର ଏହି ଐତିହାସିକ ସଫଳତାରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ ରହିଛି। ଫାଇନାଲ୍ ମୁକାବିଲାରେ ଗୋଟିଏ ଗୋଲ୍ ସ୍କୋର କରି ସେ ଭାରତର ବିଜୟକୁ ଆହୁରି ସହଜ କରିଥିଲେ। ତେବେ ମ୍ୟାଚ୍ର ପ୍ରଥମ ମିନିଟ୍ ରୁ ହିଁ ଜାପାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ମ୍ୟାଚ୍ର ତୃତୀୟ ମିନିଟ୍ରେ କାଜୁମାସା ମତ୍ସୁମୋଟୋ ଗୋଲ୍ ସ୍କୋର କରି ଜାପାନକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ଭାରତୀୟ ଖେଳାଳିମାନେ ମ୍ୟାଚ୍କୁ ଫେରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଜାପାନର ଦୃଢ଼ ରକ୍ଷଣଭାଗ ଯୋଗୁଁ ପ୍ରଥମାର୍ଦ୍ଧରେ ସଫଳତା ମିଳିନଥିଲା ।
ତେବେ ଦ୍ୱିତୀୟାର୍ଦ୍ଧରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୪୨ତମ ମିନିଟ୍ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଗୋଲ୍ କରି ସ୍କୋରକୁ ୧-୧ କରିଥିଲେ। ଏହାପରେ ୪୮ତମ ମିନିଟ୍ରେ ଦିଲପ୍ରୀତ ସିଂହ ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ।
ତେବେ ଭାରତର ଆକ୍ରମଣ ଏତିକିରେ ଥମିନଥିଲା। ୫୩ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଯୁଗରାଜ ସିଂହ ଗୋଲ୍ କରି ଦଳର ଅଗ୍ରଣୀକୁ ୩-୧କୁ ବୃଦ୍ଧି କରିଥିଲେ। ଏହାର ଠିକ୍ ପରବର୍ତ୍ତୀ ମିନିଟ୍ରେ ଅର୍ଥାତ୍ ୫୪ତମ ମିନିଟ୍ରେ ବିବେକ ସାଗର ପ୍ରସାଦ ଚତୁର୍ଥ ଗୋଲ୍ ସ୍କୋର କରି ଭାରତର ବିଜୟ ଉପରେ ମୋହର ମାରିଥିଲେ।
ଅନ୍ୟପକ୍ଷରେ, ଜାପାନ ପାଇଁ ଏହି ପରାଜୟ ନିରାଶାଜନକ ରହିଛି। ପ୍ରଥମ ଗୋଲ୍ ଦେଇ ମ୍ୟାଚ୍ରେ ଆଗୁଆ ହେବା ସତ୍ତ୍ୱେ ଭାରତର ଆକ୍ରମଣକୁ ରୋକିବାରେ ଦଳ ସଫଳ ହୋଇପାରିନଥିଲା। ଏଥିସହ ପ୍ରଥମ ଥର ପାଇଁ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଜିତିବାର ଜାପାନର ସ୍ୱପ୍ନ ଅଧୁରା ରହିଯାଇଛି।
ତେବେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍ ସହ ଭାରତର ଏହି ଐତିହାସିକ ବିଜୟ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ମଧ୍ୟ ଗର୍ବ ଓ ଗୌରବର ମୁହୂର୍ତ୍ତ ପାଲଟିଛି।

