ପାକିସ୍ତାନ-ଚୀନ୍-ନେପାଳ ପରେ ଏବେ ଭୁଟାନ୍ ବଢ଼ାଇଲା ଭାରତର ଚିନ୍ତା..!
ନୂଆଦିଲ୍ଲୀ: ଭରତକୁ ପଡ଼ୋଶୀ ରାଷ୍ଟ୍ର ମାନେ ବିବାଦ ଘେରକୁ ଟାଣିବାରେ ଲାଗିଛନ୍ତି । ଏମିତିକି ବନ୍ଧୁ ରାଷ୍ଟ୍ର କୁହାଯାଉଥିବା ନେପାଳ ମଧ୍ୟ ଭାରତକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛି । ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ପାକିସ୍ତାନ ଲଗାତାର ଚିନ୍ତା ବଢ଼ାଉଥିବା ବେଳେ ଚୀନ୍ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ନେପାଳ ପରେ ଏବେ ଭୁଟାନ ମଧ୍ୟ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଭୁଟାନ ଏବେ ଭାରତୀୟ ଚାଷୀଙ୍କ ପାଇଁ ପାଣି ବନ୍ଦ କରିଦେଇଛି । ଖାଲି ସେତିକି ନୁହେଁ କିଛି ମାସ ପୂର୍ବରୁ ଭୁଟାନକୁ ପର୍ଯ୍ୟଟକ ଭାବେ ଆସୁଥିବା ଭାରତୀୟଙ୍କଠାରୁ ପ୍ରତିଦିନ ହଜାରେରୁ ଅଧିକ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ ଆସାମର ବକସା ଜିଲ୍ଲାର କୃଷକମାନେ ଭୁଟାନ ପକ୍ଷରୁ ଜଳ ଅବରୋଧ କରାଯାଇଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ।
କରୋନା ମହାମାରୀ ଯୋଗୁଁ ଭୁଟାନ ସରକାର ଦେଶ ଭିତରେ କୌଣସି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଛନ୍ତି । ଏହାସହ ଭୁଟାନରୁ ବାହାରୁଥିବା ନଦୀ ଜଳକୁ ଭାରତୀୟ ଚାଷୀଙ୍କୁ ବ୍ୟବହାର କରିବାରୁ ମଧ୍ୟ ବଞ୍ଚିତ କରିଛନ୍ତି । ବକସା ଜିଲ୍ଲାର ୨୬ ରୁ ଅଧିକ ଗାଁର ୬୦୦୦ ରୁ ଅଧିକ କୃଷକ ଜଳସେଚନ ପାଇଁ ଏହି ଜଳସ୍ରୋତ ଉପରେ ନିର୍ଭର କରିଥାନ୍ତି । ୧୯୫୩ ପରଠାରୁ ଏହି କୃଷକମାନେ ଭୁଟାନରୁ ବାହାରିଥିବା ନଦୀ ଜଳରେ ହିଁ ଧାନ କ୍ଷେତକୁ ଜଳସେଚନ କରିଆସୁଛନ୍ତି । ତେବେ ଭୁଟାନରୁ ହଠାତ୍ ଜଳ ବନ୍ଦ ହେବା ପରେ ଭାରତୀୟ କୃଷକମାନେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବକସା ଜିଲ୍ଲାର କୃଷକଙ୍କ ସମେତ ସିଭିଲ୍ ସୋସାଇଟିର ସଦସ୍ୟମାନେ ମଧ୍ୟ ସୋମବାର ଏହାକୁ ବିରୋଧ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି । ଏମିତିକି ବିକ୍ଷୋଭକାରୀମାନେ ଅନେକ ଘଣ୍ଟା ଧରି ରୋଙ୍ଗିଆ–ଭୁଟାନ ରାସ୍ତାକୁ ଅବରୋଧ କରିଥିଲେ ।