spot_img

Latest Posts

ଅଫେରା ରାଇଜରେ ଅଲରାଉଣ୍ଡର ରାଜୁ ମିଶ୍ର, ନିର୍ଦ୍ଦେଶନା ସହ ଚିତ୍ର ଉତ୍ତୋଳନ ଓ ସଂଗୀତ ନିର୍ଦ୍ଦେଶନାରେ ଛାଡ଼ି ଯାଇଛନ୍ତି ଅଲିଭା ସ୍ୱାକ୍ଷର

ଖୋର୍ଦ୍ଧା: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର ରାଜୁ ମିଶ୍ର ଆଉ ନାହାନ୍ତି । ୭୨ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ଜଟଣୀସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ସୁପର୍‌ହିଟ୍ ଓଡ଼ିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ଏକାଧାରାରେ ରାଜୁ ମିଶ୍ର ଥିଲେ ସିନେମାଟୋଗ୍ରାଫର, ସଙ୍ଗୀତଜ୍ଞ,  ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ । ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରପସ୍କାର ସମେତ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ରାଜୁ ମିଶ୍ର  । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ରାଜଗୋପାଳ ମିଶ୍ର- ରାଜୁ ମିଶ୍ର । ଚଳଚ୍ଚିତ୍ର ଜଗତରେ ଦୀର୍ଘବର୍ଷର ସଫଳ ଯାତ୍ରା । ନିର୍ଦ୍ଦେଶନା ସହିତ ଚିତ୍ର ଉତ୍ତୋଳନ ଓ ସଂଗୀତ ନିର୍ଦ୍ଦେଶନାରେ ସେ ଛାଡ଼ି ଯାଇଛନ୍ତି ଅଲିଭା ସ୍ୱାକ୍ଷର । ୧୯୭୭ରେ ପୁନେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଡିଗ୍ରୀ ହାସଲ ପରେ ରାଜୁ ମିଶ୍ରଙ୍କ ଫିଲ୍ମ କ୍ୟାରିଅର୍‌ ଆରମ୍ଭ ହୋଇଥିଲା । ସେ ଗୋଟିକ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଥିଲେ  ।

ଓଡ଼ିଆ ଫିଲ୍ମ ଉଲ୍‌କାରେ ଜଣେ ଅଭିନେତା ଭାବେ  ରାଜୁ ମିଶ୍ର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ମଧ୍ୟରେ ଚକାଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ସାଗର ଗଙ୍ଗା, ରୁପାଗାଁର ସୁନା କନିଆ, ସତମିଛ, ଆସୁଛି ମୋ କାଳିଆ ସୁନା, ଜୋର ଯା’ର ମୁଲକ ତା’ର, ଜୀବନ ମୃତ୍ୟୁ, ହରଭାଇ ହାରେନା, ମମତା ମାଗେ ମୂଲ, ସିଂହବାହିନୀ, ପଥର ଖସୁଛି ବଡ଼ ଦେଉଳୁ ଭଳି ସୁପର ହିଟ୍‌ ଫିଲ୍ମ ରହିଛି ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନବଦ୍ୟ ଅବଦାନ ପାଇଁ ରାଜୁ ମିଶ୍ରଙ୍କୁ ଓଡ଼ିଶାର ସର୍ବଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାର ମିଳିଥିଲା । ସେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସହିତ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ । ରାଜୁ ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ଅଭିନେତା, ଅଭିନେତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Latest Posts

Don't Miss