ପୁରୀ :ଆଜି ହେଉଛି ପଞ୍ଚକର ଦ୍ଵିତୀୟ ଦିନ। ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ଆଜି ତ୍ରୟୋଦଶୀ ପଡୁଥିବାରୁ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଵା ଆଡକିଆ ବେଶ ଅନୁଷ୍ଠିତ ହେବ। ସେହିପରି ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଵା ଡାଳିକିଆ ବେଶ ଓ ବୁଧବାର ପୂର୍ଣ୍ଣିମାରେ ରାଜରାଜେଶ୍ୱରବେଶ ଵା ସୁନାବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା। ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ ଭକ୍ତ। କେତେକ ଭକ୍ତ ତଳେ ପଡ଼ି ଯାଇଥିଲେ। ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ତାର ବ୍ୟବସ୍ଥା କରିବାକୁ ପୁରୀରେ ପହଞ୍ଚିିଥିଲେ ପୋଲିସ ଡିଜି ୱାଇ ବି ଖୁରାନିଆ। ସ୍ଥିତି ଯାଞ୍ଚ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି।

