ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି, ସଫଳତାର ଶିଖର ଛୁଇଁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି । ସଫଳତାର ଶିଖର ଛୁଇଁଛି ଓଡିଶା ଆଦର୍ଶ ବିଦ୍ୟାଳୟ । ନବୀନଙ୍କ ଏହି ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ପ୍ରଶଂସା କରିଛନ୍ତି ଶିକ୍ଷାର୍ଥୀ ଓ ଶିକ୍ଷାବିତ। ଘରୋଇ ସିବିଏସଇ ସ୍କୁଲ ଭଳି ଓଡିଆ ଛାତ୍ରଛାତ୍ରୀଙ୍କି ଇଂରାଜୀ ମାଧ୍ୟମରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିବାକୁ ୨୦୧୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ମଧ୍ୟବିତ୍ତ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଢିଥିଲେ । ଗତକାଲି ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷାରେ ଘରୋଇ ସିବିଏସଇ ସ୍କୁଲକୁ ବି ମାତ ଦେଇଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ । ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷାରେ ପାସ ହାର ୯୧.୮ପ୍ରତିଶତ । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ନବୀନ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ନବୀନ ପଟ୍ଟନାୟକଙ୍କ ଶ୍ରେୟ ବୋଲି କହିଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସିବିଏସଇ ଦଶମରେ ଓଡ଼ିଶା ଟପ୍ପର ହୋଇଛନ୍ତି ଭଦ୍ରକର କାବ୍ୟରଞ୍ଜନ ମାଝୀ। ସେ ମୋଟ ୫୦୦ରୁ ୪୯୭ ମାର୍କ ତଥା ୯୯.୭ ପ୍ରତିଶତ ରଖିବାର ସୌଭାଗ୍ୟ ହାସଲ କରିଛନ୍ତି। କାବ୍ୟରଞ୍ଜନ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଳାଶଗଢିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଭିନ୍ନ ମହଲରୁ ଭିଡ଼ ଜମିଛି। ସେହିଭଳି ଭୁବନେଶ୍ବର ଉପକଣ୍ଠ ବାରଙ୍ଗର ଟପର ହୋଇଛନ୍ତି ସ୍ବାଗତ ପାଣିଗ୍ରାହୀ । ବାରଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ମୋଟ ୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି । ସ୍ବାଗତ ପାଣିଗ୍ରାହୀ ମୋଟ ୫୦୦ ନମ୍ବର ରୁ ୪୭୦ ନମ୍ବର ରଖି ଉତ୍ତିର୍ଣ୍ଣ ହେବା ସହିତ ବିଦ୍ୟାଳୟର ଟପର ହୋଇ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ଯରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ସେଥିରୁ ଆଦର୍ଶ ବିଦ୍ୟାଳୟ ଅନ୍ୟତମ । ଯାହା ଦ୍ବାରା ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ମାଗଣାରେ ସିବିଏସଇ ପାଠ ପଢିବାର ସୁଯୋଗ ପାଇଛନ୍ତି ।