ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ପ୍ରକଳ୍ପ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଧିରାଜ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଧିରାଜ ଯୋଗ ଦେବା ପରେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦଳ ମତ ନିର୍ବିଶେଷରେ ଏଭଳି କାର୍ଯ୍ୟରେ ସମସ୍ତେ ସାମିଲ ହେବା କଥା ବୋଲି କହିଥିଲେ ଅଧିରାଜ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଏ ଖବର ପିସିସି ସଭାପତି ଓ ପ୍ରଭାରୀଙ୍କ ପାଖେ ପହଞ୍ଚିଛି । ଅନ୍ୟପଟେ ସୁରଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଅଧିରାଜ । ଅଧିରାଜ କହିଛନ୍ତି ଯେ, ଦଳ ତରଫରୁ କେବେ କୁହାଯାଇ ନଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନ ଯିବା ପାଇଁ । ପ୍ରକଳ୍ପକୁ ବିରୋଧ ପାଇଁ କଂଗ୍ରେସ କେବେ କହିନି । ତେଣୁ ଏଭଳି ଏକ ଐତିହାସିକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସେ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି ଅଧିରାଜ।