ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ପରେ ଏବେ ଚନ୍ଦ୍ରପୃଷ୍ଠରେ କ’ଣ କରିବେ ଲ୍ୟାଣ୍ଡର ଓ ରୋଭର ?

1 min read

ନନ୍ଦିଘୋଷ ବ୍ୟୁରୋ: ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏହା ପୃଥିବୀର ଏକମାତ୍ର ପ୍ରାକୃତିକ  ଉପଗ୍ରହରେ ପହଞ୍ଚିବା ପରେ ଏବେ କ’ଣ କରିବ, ତାହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଯାଇଛି ।

ଚନ୍ଦ୍ରପୃଷ୍ଠରେ କ’ଣ କରିବ ରୋଭର ପ୍ରଜ୍ଞାନ ?

ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି । ପ୍ରଥମ ପେ-ଲୋଡ୍ ହେଉଛି ଲେଜର ଇଣ୍ଡ୍ୟୁସଡ୍ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ୍ । ଏହା ଚନ୍ଦ୍ରପୃଷ୍ଠରେ ଥିବା କେମିକାଲ ବା ରାସାୟନିକ ପଦାର୍ଥର ମାତ୍ରା ଏବଂ ଗୁଣବତ୍ତାର ଅଧ୍ୟୟନ କରିବ । ଏହାସହ ଖଣିଜ ପଦର୍ଥର ବି ସନ୍ଧାନ କରିବ । ସେହିପରି ଦ୍ୱିତୀୟ ପେ-ଲୋଡ୍ ହେଉଛି ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟୋମିଟର । ଏହା ଏଲିମେଣ୍ଟ କମ୍ପୋଜିସନର ଅଧ୍ୟୟନ କରିବ । ଯେମିତି କି ମ୍ୟାଗ୍ନେସିୟମ, ଆଲୁମିନିୟମ, ସିଲିକନ୍, ପଟାସିୟମ, କ୍ୟାଲସିୟମ, ଟିନ୍ ଏବଂ ଲୈହ । ଏଗୁଡ଼ିକର ସନ୍ଧାନ ଲ୍ୟାଣ୍ଡିଂ ସାଇଟ୍‌ ପାର୍ଶ୍ୱବର୍ତ୍ତୀ ଚନ୍ଦ୍ରପୃଷ୍ଠରେ କରାଯିବ ।

ଚନ୍ଦ୍ରପୃଷ୍ଠରେ କ’ଣ କରିବ ଲ୍ୟାଣ୍ଡର ବିକ୍ରମ ?

ଲ୍ୟାଣ୍ଡର ବିକ୍ରମରେ ୪ଟି ପେ-ଲୋଡ୍‌ ରହିଛି । ସେଗୁଡ଼ିକ ହେଉଛି ରମ୍ଭା, ଚାଷ୍ଟେ, ଇଲ୍ସା ଓ ଲେଜର ରେଟ୍ରୋଫ୍ଲେକ୍ଟର ଆରେ । ରମ୍ଭା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଠାରୁ ଆସିବାକୁ ଥିବା ପ୍ଲାଜମାର ଘନତା, ମାତ୍ରା ଓ ପରିବର୍ତ୍ତନକୁ ଯାଞ୍ଚ କରିବ । ସେହିପରି ଚାଷ୍ଟେ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ପରଖିବ । ଇଲ୍ସା ଲ୍ୟାଣ୍ଡିଂ ସାଇଟର ପାଶ୍ୱବର୍ତ୍ତୀ ଭୂକମ୍ପୀୟ ଗତିବିଧି ଯାଞ୍ଚ କରିବ । ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ ଚନ୍ଦ୍ରର ଡାଏନୋମିକ୍ସକୁ ବୁଝିବା ପାଇଁ ପ୍ରୟାସ କରିବ ।