ବାଚସ୍ପତିଙ୍କ ସହ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଓ ଶ୍ରୀକାନ୍ତ

ନନ୍ଦିଘୋଷ ବ୍ୟୁରୋ: ପୁଣି ଚକମା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂରୁଣା ଷ୍ଟାଇଲରେ ନୂଆ ଅପରେସନ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବା ବେଳେ ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳ । ଏଭଳି ସମୟରେ ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ କେହି ସାମାନ୍ୟ ସୁରାକ ପାଇନଥିଲେ । ଏନେଇ ଏବେ କୌଣସି ଚର୍ଚ୍ଚା ନଥିଲା ।

ମାତ୍ର ନିଜସ୍ୱ ଷ୍ଟାଇଲରେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଗକୁ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ବର୍ଷେ ବାକିଥିବା ବେଳେ ଏଭଳି ସମୟରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଓ ଦଳ ଓ ସରକାରରେ ଚଳଚଞ୍ଚଳତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାଚସ୍ପତି ପଦରେ କିଏ ବସିବ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବେ ଏବଂ ମନ୍ତ୍ରୀମାନଙ୍କ ବିଭାଗରେ କେତେ ଅଦଳବଦଳ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବିକ୍ରମ କେଶରୀ ଆରୁଖ: ଗତ ବର୍ଷ ଜୁନ୍ ୧୩ ତାରିଖରେ ବାଚସ୍ପତି ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ । ୧୯୯୫ ମସିହାରୁ ଲଗାତାର ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଛନ୍ତି ବିକ୍ରମ । ୨୦୦୮ରେ ମୁଖ୍ୟ ସଚେତକ, ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ବିକ୍ରମ କେଶରୀ ଆରୁଖ । ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ, ସାଧାରଣ ଉଦ୍ୟୋଗ ବିଭାଗରେ ବିଭିନ୍ନ ସମୟରେ ମନ୍ତ୍ରୀ ଥିଲେ ବିକ୍ରମ କେଶରୀ ଆରୁଖ । ଗଞ୍ଜାମ ଜିଲ୍ଲାର ବିଜେଡିର ମୁଖ୍ୟ ସଂଗଠକ ଭାବେ ପରିଚିତ ଅଛନ୍ତି ବିକ୍ରମ ।

ସମୀର ରଞ୍ଜନ ଦାଶ: ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ୨୦୦୯ରୁ ଲଗାତାର ତିନିଥର ବିଧାୟକ ହୋଇଛନ୍ତି ସମୀର ରଞ୍ଜନ ଦାଶ । ୨୦୧୯ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମିଳିଥିଲା । ଇସ୍ତଫା ଦେବା ପରେ ସମୀର କହିଛନ୍ତି, ଦଳର ସାଂଗଠନିକ ଆବଶ୍ୟକତା ପାଇଁ ଇସ୍ତଫା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ସମୀର ।

ଶ୍ରୀକାନ୍ତ ସାହୁ: ସେହିପରି ଶ୍ରୀକାନ୍ତ ସାହୁ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଗଞ୍ଜାମ ଜିଲ୍ଲା ପୋଲସରା ଆସନରୁ ନିର୍ବାଚିତ ହୋଇଛନ୍ତି । ୨୦୨୨ ଜୁନରେ ଶ୍ରୀକାନ୍ତ ସାହୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ଶ୍ରମ ବିଭାଗ ମିଳିଥିଲା । ଦଳର ସାଂଗଠନିକ ଦାୟିତ୍ୱ ତୁଲାଇବାକୁ ଇସ୍ତଫା ଦେଇଥିବା କହିଛନ୍ତି ।