ଲକଡାଉନର ପଦଧ୍ୱନୀ: ଦିଲ୍ଲୀରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ ହୋଇ ସାରିଛି । ଗୁଜୁରାଟ, ମହାରାଷ୍ଟ୍ର ଓ ପଂଜାବରେ କରୋନା କରାଳ ରୂପ ନେଲାଣି । ଛତିଶଗଡ ରାଜଧାନୀ ରାୟପୁରରେ ୧୧ ଦିନିଆ ଲକଡାଉନ୍ ଆରମ୍ଭ ହୋଇସାରିଲାଣି । ଏହାରି ଭିତରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସ୍ଥାନରେ କଡା କଟକଣା ଭିତରେ ପୁଣି ଥରେ ଲକଡାଉନର ସ୍ମୃତି ତାଜା ହୋଇଛି । ଗତବର୍ଷର ଲକଡାଉନ୍ ପୁଣି ପ୍ରବାସୀ ଶ୍ରମିକଙ୍କୁ ଡରାଇବାକୁ ଲାଗିଲାଣି ।
ଲକଡାଉନର ଡର ଏତେ ଯେ, ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିବା ଆରମ୍ଭ କଲେଣି । ଦିଲ୍ଲୀ ଓ ପୁଣେରେ କଟକଣା ବଢିବା ପ୍ରବାସୀ ଶ୍ରମିକଙ୍କୁ ଡରାଇ ଦେଇଛି । ସେମାନଙ୍କୁ ଲାଗୁଛି ଯେ, ସ୍ଥିତି ଅଧିକା ବିଗିଡିଲେ ଯେକୌଣସି ସମୟରେ ଲକଡାଉନ୍ ଲାଗିପାରେ । ଏମିତିରେ ଗତବର୍ଷର ଭୟଙ୍କର ଅନୂଭବ ସେମାନଙ୍କୁ ଆଗୁଆ ନିଜ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ କରୁଛି ।

( ଆନନ୍ଦ ବିହାର ଟର୍ମିନାଲରେ ବିହାରୀ ଶ୍ରମିକ)

ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ଏବେ ବିହାରି ଶ୍ରମିକଙ୍କ ଭିଡ ଜମୁଛି । ଏହି ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଏଠାରେ ଏକାଠି ହେଉଛନ୍ତି । ସେମାନଙ୍କ କହିବା ହେଉଛି ଗତବର୍ଷର ଲକଡାଉନ୍ କାଳରେ ସେମାନେ ଦିଲ୍ଲୀରେ ଫସିଯାଇଥିଲେ । ତେଣୁ ଏଥର ଆଗୁଆ ସେମାନେ ବିହାର ଯାଉଛନ୍ତି । ଲକଡାଉନ୍ ଯଦି ହୁଏ ତେବେ ଗତ ବର୍ଷ ଭଳି ସେମାନଙ୍କୁ ଖାଦ୍ୟ ପାଇଁ ହଇରାଣ ହରକତ ହେବାକୁ ପଡିପାରେ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନାକୁ ଦୃଷ୍ଟିରେ ରଖି ପୁଣି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହିତ ଅନ୍ୟାନ୍ୟ କଟକଣା ମଧ୍ୟ ଲାଗୁ ହୋଇଛି । ଏମିତିରେ ଶ୍ରମିକଙ୍କ ଆଶଙ୍କା ଯେ, ପୁଣି ଲକଡାଉନ୍ ଲାଗୁ ହୋଇପାରେ ।

ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ,ପଂଜାବ ଭଳି ରାଜ୍ୟରେ ନାଇଟ୍ କର୍ଫ୍ୟୁ ପୁଣି ଆରମ୍ଭ ହୋଇଛି । ମହାରାଷ୍ଟ୍ରର ପୁଣା,ମୁମ୍ବାଇ ଭଳି ସହରରେ କଠୋର କଟକଣା ଲାଗୁ ହୋଇଛି । ମହାରାଷ୍ଟ୍ରର ଗୋଟିଏ ଦୁଇଟି ଜିଲ୍ଲାରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଛତିଶଗଡର ରାଜଧାନୀ ରାୟପୁରରେ ୧୧ ଦିନିଆ ଲକଡାଉନ୍ ବୁଧବାରଠାରୁ ଆରମ୍ଭ ହୋଇଛି ।

ଗୁଜୁରାଟ ଭଳି ରାଜ୍ୟରେ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହୋଟେଲକୁ ଭଡାରେ ନିଆଯାଇଛି । ଏମିତିରେ ଲକଡାଉନ୍ ଆଶଙ୍କ ବଢିଛି । ଗତବର୍ଷ ଯେଉଁଭଳି ଭାବେ ହଠାତ ଲକଡାଉନ୍ ଘୋଷଣା କରାଯାଇଥିଲା ତାହା ଦ୍ୱାରା ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ପ୍ରଭାବିତ ହୋଇଥିଲେ । ତେଣୁ ଏବେ ଏହି ପ୍ରବାସୀ ଶ୍ରମିକ ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ରାଜ୍ୟରୁ ପଳାୟନ ଆରମ୍ଭ କଲେଣି ।

Leave a Reply