ହାତ ଧରିଥିଲେ ସାତ ଜନମ ଲାଗି, ଗଲାବେଳେ ବି ସାଥୀ ହୋଇ ଚାଲିଗଲେ ଦମ୍ପତି

1 min read

ନନ୍ଦିଘୋଷ ବ୍ୟୁରୋ : ବିଧିର ବିଧାନ ବିଚିତ୍ର । ସାତ ଜନମର ସାଥୀ ହୋଇ ବଞ୍ଚିଥିଲେ । ଇହଧାମ ତ୍ୟାଗ ପରେ ବି ସେମାନେ ହୋଇଗଲେ ସାତ ଜନମର ସାଥୀ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ । ବିମାନ ଦୁର୍ଘଟଣା ପରେ ସେଠାର ଚାଲିଛି ଡିଏନଏ ମେଳ ପ୍ରକ୍ରିୟା । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଅଶୋକଭାଇ ପଟେଲ ଓ ଶୋଭନାବେନ ପଟେଲ । ଏହି ଦମ୍ପତିଙ୍କ ମୂଳ ରାଜ୍ୟ ଗୁଜରାଟ । ସେମାନେ ୧୯୭୮ରୁ ବ୍ରିଟେନରେ ରହିଆସୁଥିଲେ । ତେବେ ଗତ ଜୁନ ୧୨ ପ୍ଲେନକ୍ରାସରେ ସେମାନେ ଆରପାରିକୁ ଚାଲିଯାଇଥିଲେ । ମରଶରୀରଗୁଡିକୁ ଚିହ୍ନଟ ସକାଶେ ଡିଏନଏ ନମୁନା ଲାଗି ଲଣ୍ଡନରେ ରହୁଥିବା ପୁଅ ମିତେନ ପଟେଲଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଡାକିଥିଲେ । ଡକରା ପାଇବା ପରେ ମିତେନ ଓ ଭାଇ ହେମେନ ହସ୍ପିଟାଲକୁ ଆସିଥିଲେ । ଲଣ୍ଡନରେ ଥିବା ପୁଅଙ୍କୁ ଗତ ଜୁନ ୧୫ରେ ଅର୍ଥାତ ପିତୃଦିବସରେ ଯାଇଥିଲା ଫୋନ । ସେମାନେ ଫେରିବା ପରେ ଡିଏନଏ ଟେଷ୍ଟ କରାଯାଇଥିଲା । ବାପା ଅଶୋକଭାଇଙ୍କ ଡିଏନଏ ମେଳ ଖାଇବାରୁ ତାଙ୍କ ମରଶରୀର ନେବା ଲାଗି ପୁଅଙ୍କୁ ଅନୁମତି ମିଳିଥିଲା । ଉଭୟ ବାପା, ମାଙ୍କ  ମରଶରୀର ଲଣ୍ଡନ ନେବା ଲାଗି ଦୁଇ ପୁଅ ଯୋଜନା କରିଥିଲେ । ତେବେ ମାଆଙ୍କ ମରଶରୀରକୁ ପାଇବା ଏକ ବଡ଼ ପ୍ରଶ୍ନ ଥିଲା । ମାଆଙ୍କ ମରଶରୀର ନ ପାଇ ସେମାନେ ବାପାଙ୍କ ମରଶରୀର ଧରି ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ । ତେବେ ସେମାନେ ଦେଖିଥିଲେ ବର୍ତ୍ତମାନ ସୁଦ୍ଧା ୯୮ଟି ମରଶରୀରକୁ ଚିହ୍ନଟ କରାଯାଇଛି । 98ତମ ଚିହ୍ନଟ ନମୁନା ହେଉଛି ତାଙ୍କ ବାପାଙ୍କର । ଡିଏନଏ ଚିହ୍ନଟ ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବାରୁ ସେମାନେ କେବଳ ବାପାଙ୍କ ଦେହାବଶେଷ ଧରି ଫେରୁଥିଲେ । ବାପାଙ୍କ ମରଶରୀର ଧରି ଫେରୁଥିବାବେଳେ ହଠାତ୍ ହସ୍ପିଟାଲରୁ ଆସିଥିଲା ଫୋନ । ଡିଏନଏ ମେଳଖାଇଥିବା ୯୯ତମ ବ୍ୟକ୍ତି ଥିଲେ ଶୋଭନାବେନ । ଦୁଇ ଭାଇ ଏହା ଶୁଣି ହତବାକ ହୋଇଯାଇଥିଲେ । ସେମାନେ ତୁରନ୍ତ ହସ୍ପିଟାଲ ଯାଇ ବୁଲେଟିନ ବୋର୍ଡରେ ୯୯ତମ ମୃତକଙ୍କ ନାମ ତାଙ୍କ ମା ବୋଲି ଜାଣିଲେ । ବଞ୍ଚିଥିବାବେଳେ ବାପା-ମା ହୋଇଥିଲେ ସାତ ଜନମର ସାଥୀ । ମଲାପରେ ବି ସେମାନେ ସାଜିଥିଲେ ସାତ ଜନମର ସାଥୀ ।