ମହିଳାଙ୍କ ସୁରକ୍ଷା ନେଇ ପୋଲିସର ବ୍ଲୁପ୍ରିଣ୍ଟ, ପର୍ଯ୍ୟଟନସ୍ଥଳୀ ଓ ରାଜପଥରେ ଲାଗିବ AI କ୍ୟାମେରା
1 min read
ଭୁବନେଶ୍ୱର : କ୍ରିମିନାଲଙ୍କୁ ଧରିବ ହାଇ ରିଜୋଲ୍ୟୁସନ AI କ୍ୟାମେରା । Advance Facial Recognise Systi ଜରିଆରେ ହେବେ ଚିହ୍ନଟ । ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୋଲିସର ବ୍ଲୁପ୍ରିଣ୍ଟ । ପର୍ଯ୍ୟଟନସ୍ଥଳୀ, ରାଜପଥ ସବୁଠି ଲାଗିବ ସିସିଟିଭି । ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ସହ ଜାତୀୟ ରାଜପଥ, ପର୍ଯ୍ୟଟନସ୍ଥଳୀ ଓ ବେଳାଭୂମିମାନଙ୍କରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ଗୋପାଳପୁର ଘଟଣା ପରେ ଏବେ ଅପରାଧୀଙ୍କୁ ଜଗିବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ପୁରୀ, କୋଣାର୍କ ବେଳାଭୂମି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ହେବ କ୍ୟାମେରା ଛାଉଣୀ । ଅତ୍ୟାଧୁନିକ AI କ୍ୟାମେରା ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ରାଜ୍ୟ ବାହାର କମ୍ପାନୀ ସହ ଆଲୋଚନା ସରିଛି । କେବଳ ରାଜଧାନୀ ଭୁବନେଶ୍ବରରେ ୨ ହଜାର କ୍ୟାମେରା ଲାଗିବ । କମାଣ୍ଡ କଣ୍ଟ୍ରୋଲ ରୁମରୁ ଏସବୁକୁ ମନିଟର କରାଯିବ ବୋଲି ହାଇଲେବଲ ମିଟିଂ ପରେ ସୂଚନା ଦେଇଛନ୍ତି ଡିଜିପି ।
ସେପଟେ ସିସିଟିଭି ସର୍ଭେଲାନ୍ସ ରହିବା ଯୋଗୁଁ ଟ୍ରାଫିକ ଖିଲାପକାରୀ ମଧ୍ୟ ସହଜରେ ଖସିପାରିବେ ନାହିଁ । ସ୍ପିଡ଼ ଡ୍ରାଇଭ, ରଙ୍ଗରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ ଓ ହିଟ ଆଣ୍ଡ ରନ ସଂଖ୍ୟା ବଢିବାରେ ଲାଗିଛି । ୨୦୨୪ରେ କେବଳ ୨ ଚକିଆ ଯାନରେ ୫ ହଜାର ୪୯୦ ଟି ଦୁର୍ଘଟଣା ଘଟିଛି । ୩୦୧୭ ଜଣଙ୍କର ଜୀବନ ଯାଇଛି । ହେଲମେଟ ପିନ୍ଧିନଥିବାରୁ ୧୬୯୬ ଜଣଙ୍କର ମୃତ୍ୟୁ ଘଟିଥିବା ସମୀକ୍ଷାରୁ ଜଣାପଡିଛି । ୨୦୨୪ରେ ସାରା ରାଜ୍ୟରେ ୭ ଲକ୍ଷ ୮୯ ହଜାର ୧୫ ଟି ହେଲମେଟ ସଂକ୍ରାନ୍ତୀୟ ନିୟମ ଉଲ୍ଲଙ୍ଘନ ହୋଇଥିବା ସୂଚନା ଦେଇଛି ପରିବହନ ବିଭାଗ । ସିସିଟିଭି ଲାଗିବା ଦ୍ୱାରା ଏହି ସଂଖ୍ୟା କିଛି ମାତ୍ରାରେ କମିବ ବୋଲି ଆଶା କରାଯାଉଛି । ଗତ ରଥଯାତ୍ରା ବେଳେ intelligent enforcient managient systi କୁ ପରୀକ୍ଷାମୂଳକ ଭାବେ ପୁରୀ ଭୁବନେଶ୍ୱର ରାସ୍ତାରେ ବ୍ୟବହାର କରାଯାଇଥିଲା । ସୁଫଳ ମିଳିବା ପରେ ସାରା ରାଜ୍ୟରେ ଏହାର ବ୍ୟବହାର ହେବ ବୋଲି କହିଛନ୍ତି ଡିଜିପି ।