ଦାଦା ଶରଦ ପାଓ୍ବାରଙ୍କୁ ହଟାଇ ଏନସିପି ଗାଦି ମାଡିବସିଲେ ପୁତୁରା ଅଜିତ ପାଓ୍ବାର

ମୁମ୍ବାଇ: ଦାଦା ଶରଦ ପାଓ୍ବାରଙ୍କୁ ହଟାଇ ଏନସିପି ଗାଦି ମାଡିବସିଲେ ପୁତୁରା ଅଜିତ ପାଓ୍ବାର । ମହାରାଷ୍ଟ୍ର ଏନସିପିରେ ବଡ଼ ଧରଣର ଓଲପାଲଟ ଦେଖିବାକୁ ମିଳିଛି । ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କଲେ ଅଜିତ ପାଓ୍ବାର । କାର୍ଯ୍ୟକାରୀଣି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶରଦ ପାଓ୍ବାରଙ୍କ ବୟସ ହେଲାଣି, ରାଜନୀତି ନକରି ଆଶିର୍ବାଦ ଦିଅନ୍ତୁ ବୋଲି ଅଜିତ ପାଓ୍ବାର କହିଛନ୍ତି । ସେପଟେ ରାଜନୈତିକ ଅଭିଳାଷା ରଖିଲେ ବିରୋଧୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଶରଦ ପାଓ୍ବାର କହିଛନ୍ତି । ଆଜି ହୋଇଥିବା ବୈଠକରେ ୧୫ ଜଣ ବିଧାୟକ ଶରଦଙ୍କ ସହ ଥିବା ବେଳେ ୩୦ ଜଣ ବିଧାୟକ ଅଜିତଙ୍କ ସହ ଥିଲେ ।

କେବେ ଅବସର ନେବେ ଦାଦା ଶରଦ ପାଓ୍ବାର ? ପୁତୁରାଙ୍କ ରାଜନୈତିକ କ୍ୟାରିୟରରେ ଦାଦା ଅଡୁଆ । ସିନିୟର ପାଓ୍ବାର ବନାମ ଜୁନିୟର ପାଓ୍ବାର । ନିଜ ନିଜ ସମର୍ଥକଙ୍କ ବିଧାୟକଙ୍କ ସହ ବୈଠକ କରି ଶକ୍ତି ପ୍ରଦର୍ଶନ କଲେ ଦାଦା ପୁତୁରା । ବୈଠକରେ ଉପସ୍ଥିତ ବିଧାୟକଙ୍କୁ ଦେଖି ଉତ୍ସାହିତ ଶରଦ ପାଓ୍ବାର । ସାରା ଦେଶ ଆଜି ଆମକୁ ଦେଖୁଛି । ରାଜ୍ୟରେ ଚାଲିଥିବା ରାଜନୈତିକ ହେରଫେରକୁ ଲୋକେ ନାପସନ୍ଦ କରୁଛନ୍ତି । ଲୋକଙ୍କ ଭଲ ପାଇଁ କାମ କରିବା ପରିବର୍ତ୍ତେ ନିଜ ରାଜନୈତିକ କ୍ୟାରିୟର ସଜାଡିବାରେ ନେତା ବ୍ୟସ୍ତ ବୋଲି କହି ଅଜିତଙ୍କୁ ଟାର୍ଗେଟ କରିଛନ୍ତି ଶରଦ ପାଓ୍ବାର ।

ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସିଧାସଳଖ ପ୍ରଶ୍ନ କରିଛନ୍ତି । କିଛିଦିନ ତଳେ ଏନସିପିକୁ ଦୁର୍ନୀତିଖୋର କହୁଥିବା ବେଳେ ଆଜି କାହିଁକି ସେମାନଙ୍କ ସହ ମିଶି ସରକାର ଗଠନ କଲେ ? ଅଜିତଙ୍କର ଯଦି କିଛି ଅସୁବିଧା ଥିଲା ମୋ ସହ କଥା ହେବା ଥିଲା । ରାଜନୈତିକ ଅଭାଳାଷା ରଖି ଏଭଳି ଦଳ ଭିତରେ ବିବାଦ ସୃଷ୍ଟି କରିବା ଠିକ୍ ହୋଇନି କହିଛନ୍ତି ଶରଦ ପାଓ୍ବାର । ମୁଁ କେବେ ବି କ୍ଷମତା ପାଇଁ ରାଜନୀତି କରିନାହିଁ । ଲୋକଙ୍କ ପାଇଁ କାମ କରିବା ସବୁବେଳେ ପ୍ରାଥମିକତା ରହିଛି । ଏନସିପିର ଡିଏନଏ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଶରଦ କହିଛନ୍ତି । ଯାହାକୁ ସମର୍ଥନ କରିଛନ୍ତି ବୈଠକରେ ଉପସ୍ଥିତ ସମର୍ଥକ ବିଧାୟକ ଓ ସାଂସଦ । ଅଜିତ ପାଓ୍ବାର ମଧ୍ୟ ଶରଦଙ୍କୁ ନିଜର ରାଜନୈତିକ ଗୁରୁ କହି ଟାର୍ଗେଟ କରିଛନ୍ତି ।

ତାଙ୍କୁ ଦେଖି ରାଜନୀତି ଶିଖିଛନ୍ତି ବୋଲି କହିଛନ୍ତି । କିନ୍ତୁ ଏବେ ସମୟ ହୋଇଛି ସେ ଅବସର ନେଇଯାଆନ୍ତୁ । ୮୩ ବର୍ଷ ହେଲାଣି କେବେ ଅବସର ନେବେ ବୋଲି ପ୍ରଶ୍ନ କରିଛନ୍ତି । ଶରଦ ପାଓ୍ବାର ଯାହା କହିଛନ୍ତି, ତାକୁ ଦଳ ଭିତରେ ରଖି ଶୃଙ୍ଖଳିତ କର୍ମୀ ଭାବେ ମାନିଛନ୍ତି । ହେଲେ ତାଙ୍କ ଆଗରେ ମୋର କିଛି ଗୁରୁତ୍ବ ନାହିଁ । ନିଜ ରାଜନୈତିକ କ୍ୟାରିୟରରୁ ଅବସର ନେବାକୁ ଘୋଷଣା କରିଥିଲେ ବି କାହିଁକି ୟୁଟର୍ଣ୍ଣ ନେଲେ ବୋଲି ଅଜିତ ପ୍ରଶ୍ନ କରିଛନ୍ତି । ଅଜିତ ତାଙ୍କ ସମର୍ଥକଙ୍କ ବିଧାୟକଙ୍କୁ ନିଜ ନିର୍ବାଚନୀ କ୍ଷେତ୍ରର ବିକାଶକୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ।

୨୦୨୪ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ସରକାରୀ ଅନୁଦାନ ପାଇଁ ଅଟକିଥିବା କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କଥାହେବେ ବୋଲି ଅଜିତ କହିଛନ୍ତି । ସେପଟେ ଶରଦଙ୍କ ବୈଠକରେ ଯୋଗଦେଇଥିବା ବିଧାୟକ ମାନେ ମଧ୍ୟ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଅଜିତ ପାଓ୍ବାର । ନିର୍ବାଚନ ଆୟୋଗକୁ ଚିଠି ଲେଖି ଦଳର ନାଁ ଓ ଚିହ୍ନ ଉପରେ ଅଧିକାର ବୋଲି କହି ଆବେଦନ କରିଛନ୍ତି ଅଜିତ ପାଓ୍ବାର । ସେହିଁ ଅସଲ ଏନସିପି ନେତା । ତାଙ୍କ ସମର୍ଥନରେ ଅଧାରୁ ଅଧିକ ବିଧାୟକ । ତେଣୁ ଦଳ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଜିତ ଆବେଦନ କରିଛନ୍ତି ।

ସେପଟେ ଶରଦ ପାଓ୍ବାରଙ୍କ ଗୋଷ୍ଠିର ଜୟନ୍ତ ପାଟିଲ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଦଳରେ ଭିତରେ ଦେଖାଦେଇଥିବା ବିବାଦ ବିଷୟରେ ଜଣାଇଛନ୍ତି । ଯେଉଁମାନେ ଦଳର ଶୃଙ୍ଖଳାକୁ ଅବମାନନା କରି ଏନଡିଏରେ ଯୋଗ ଦେଇଛନ୍ତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେମାନେ କରୁଥିବା ଦାବି ସମ୍ପୂର୍ଣ୍ଣ ବେଆଇନ ବୋଲି ଜୟନ୍ତ ପାଟିଲ କହିଛନ୍ତି । ଗତ ରବିବାର ଏନସିପିର ୯ ଜଣ ବିଧାୟକ ଏନଡିଏରେ ଯୋଗ ଦେବା ସହ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଯାହାକୁ ଦଳ ବିରୋଧୀ ଆଚରଣ କହି ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରିଛନ୍ତି ଶରଦ ପାଓ୍ବାରଙ୍କ ଗୋଷ୍ଠି ।