ଆକାଶ ପାଠକଙ୍କୁ ପୁଣିଥରେ ରିମାଣ୍ଡରେ ନେବ ପୁଲିସ୍‌

ଭୁବନେଶ୍ଵର: ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ ଆକାଶ ପାଠକଙ୍କୁ ପଚରା ଉଚରା ଜାରି ରହିଛି । ପୁଣିଥରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ଲାଗି ପ୍ରସ୍ତୁତ ହେଉଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଏଥିନେଇ କୋର୍ଟଙ୍କୁ ନିବେଦନ କରିବାକୁ ପୁଲିସ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି । ଠକେଇ କାରବାରରେ ଆକାଶଙ୍କ ଲିଙ୍କ୍‌କୁ ନେଇ ମିଳିଥିବା ତଥ୍ୟଗୁଡ଼ିକ ବାବଦରେ ଆବଶ୍ୟକ ପଚରା ଉଚରା ହେବା ସମ୍ଭାବନା ରହିଛି।
ଆକାଶ ଟାଟା କମ୍ପାନୀର ଏମ୍‌ଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି। ଏ ବାବଦରେ ପୁଲିସ ତନାଘନା କରୁଛି। ଟାଟା କମ୍ପାନୀକୁ ଏ ବାବଦରେ ମଧ୍ୟ ସ୍ପଷ୍ଟୀକରଣ ମଗା ଯାଇଥିଲା। ଏହାର ଉତ୍ତରରେ ଆକାଶ କୌଣସି ସମୟରେ ହେଲେ ବି ଟାଟା କମ୍ପାନୀର କର୍ମଚାରୀ ନଥିଲେ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ଟାଟାକୁ ଏ ବାବଦରେ ପ୍ରଶ୍ନ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଆଗକୁ ଆକାଶଙ୍କ ଦସ୍ତଖତ ନମୁନା ଗ୍ରହଣ କରାଯିବ। ଏହାକୁ ଯାଞ୍ଚ କରିବା ଲାଗି ହ୍ୟାଣ୍ଡରାଇଟିଂ ବ୍ୟୁରୋର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

Leave a Reply