ଅତିକ-ଅସରଫ ହତ୍ୟାକାଣ୍ଡ; ତିନି ଆକ୍ରମଣକାରୀ କିପରି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର? ରହସ୍ୟ ଉପରୁ ପରଦା ହଟାଇଲା ୟୁପି ପୋଲିସ୍

ପ୍ରୟାଗରାଜ: ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟାରେ ସାମିଲ ଲବଲେଶ ତିୱାରୀ (ବାନ୍ଦା), ମୋହିତ ଓରଫ ସନୀ (ହମିରପୁର) ଏବଂ ଅରୁଣ ମୌର୍ଯ୍ୟ (କାସଗଞ୍ଜ)ଙ୍କୁ ବନ୍ଧୁକ କେଉଁ ସୋର୍ସ ଜରିଆରେ ମିଳିଥିଲା, ଏ ସମ୍ପର୍କରେ ସୂଚନା ହାସଲ କରିଛି ୟୁପି ପୋଲିସ । ୟୁପି ପୋଲିସର ଜଣେ ଅଧିକାରୀ ନାଁ ଗୋପନ ରଖି କହିଛନ୍ତି ଘଟଣାରେ ବ୍ୟବହୃତ ଜୀଗନା ମୋଡ ପିସ୍ତଲ ଏବଂ .୩୨ ବୋର ପିସ୍ତଲ କେଉଁଠାରୁ ଆସିଛି, ପୋଲିସ ଏହାର ସୂଚନା ହାସଲ କରିଛି । ଜୀଗନା ପିସ୍ତଲ ବର୍ତ୍ତମାନ ଭାରତରେ ବ୍ୟାନ୍ ରହିଛି । ଏହା ତୁର୍କୀ ନିର୍ମିତ ପିସ୍ତଲ ଅଟେ ।

ତେବେ ଏହା ଭାରତକୁ କେମିତି ଆସିଲା ସେ ସମ୍ପର୍କରେ ପୋଲିସ ଆବଶ୍ୟକ ତଥ୍ୟ ହାସଲ କରିଛି । ଅବଶ୍ୟ, ଏ ସମ୍ପର୍କରେ ଏବେ ଖୁଲାସା କରାଯାଉ ନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ହୋଇଥିବା ତଦନ୍ତ ଅନୁଯାୟୀ କୌଣସି ବି ମାଫିଆ ବା ଗ୍ୟାଙ୍ଗଷ୍ଟର ବାହୁବଳୀଙ୍କ ଇସାରାରେ ଏହି ସୁଟଆଉଟ୍ କରାଯାଇ ନାହିଁ । ବରଂ ତିନି ଆକ୍ରମଣକାରୀ ନିଜେ ହିଁ ଏହି ଘଟଣାକୁ ରୂପ ଦେଇଛନ୍ତି । ପୋଲିସ ତିନି ଆକ୍ରମଣକାରୀଙ୍କ ଘଟଣା ସ୍ଥଳ ପର୍ଯ୍ୟନ୍ତ ଆସିବାର ସମ୍ପୂର୍ଣ୍ଣ ରୁଟ୍ ସମ୍ପର୍କରେ ସୂଚନା ପାଇ ସାରିଛି । ସେମାନେ କିଭଳି ଜିଲ୍ଲାରେ ପ୍ରବେଶ କରିଥିଲେ ଏବଂ କେବେ କେଉଁଠିକୁ ଯାଇଥିଲେ । ପୋଲିସ ସମସ୍ତ ସୂଚନା ହାସଲ କରିନେଇଛି ।

ଏହା ମଧ୍ୟ ଜଣା ପଡ଼ିଛି ଯେ ତିନି ଆକ୍ରମଣକାରୀ ଜଣେ ଅନ୍ୟଜଣଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ଯୋଜନା ମୁତାବକ ଏକାସାଙ୍ଗରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନା ମୁତାବକ, ସନୀ ଏବଂ ଲବଲେଶଙ୍କ ଭେଟଘାଟ  ବାନ୍ଦା ଜେଲରେ ହୋଇଥିଲା, ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା,ଯେତେବେଳେ କି ସନୀ ଏବଂ ଅରୁଣ ପୂର୍ବରୁ ହିଁ ସାଙ୍ଗ ଥିଲେ ଏବଂ ସନୀ ହିଁ ଲବଲେଶ ସହ ଅରୁଣର ବନ୍ଧୁତା କରାଇଥିଲା ।

ସୂଚନା ଥାଉକି ଅତିକ ଏବଂ ତା ଭାଇ ଅସରଫକୁ ଶନିବାର ରାତିରେ ଆକ୍ରମଣକାରୀ ଏପରି ସମୟରେ ଗୁଳିମାରି ହତ୍ୟା କରିଥିଲେ ଯେବେ ପୋଲିସ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ପ୍ରୟାଗରାଜ ମେଡିକାଲ କଲେଜ ନେଇ ଯାଉଥିଲା । ଏହି ହତ୍ୟାକାଣ୍ଡ ପରେ ସମ୍ପୂର୍ଣ୍ଣ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୌଣସି ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯାଇଛି । ଗତାକାଲିର ଏହି ଆକ୍ରମଣରେ ଜଣେ ସାମ୍ବାଦିକ ସମେତ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ଗମ୍ଭୀରତାର ସହ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।