ମୁହାଁମୁହିଁ ଅବସ୍ଥାରେ ଆନ୍ଦୋଳନକୁ ଓହ୍ଲାଇଥିବା ରାଜସ୍ବ ଅମଲା ସଂଘ ଓ ସରକାର

ନନ୍ଦିଘୋଷ ବ୍ୟୁରୋ : ୧୦ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ଅମଲା ସଂଘ। ଜିଲ୍ଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ କାମ ଠପ। ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକ। ଆନ୍ଦୋଳନରତ ଅମଲା ମାନଙ୍କୁ ସରକାରଙ୍କ ଚେତାବନୀ। କାମ ନ କଲେ ଦରମା ବନ୍ଦ ହେବ ବୋଲି କହୁଛନ୍ତି ରାଜସ୍ବ ମନ୍ତ୍ରୀ। କ୍ୟାଡର ପୁନର୍ଗଠନ, ମୂଳ ଦରମାରେ ବୃଦ୍ଧି, ରାଜସ୍ବ ଅମଲାଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର, ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଭଳି ୧୦ଟି ଦାବି ରଖିଛନ୍ତି ରାଜସ୍ବ ଅମଲା ସଂଘ। ଦାବି ସହ ସ୍ବର ମିଳାଇଛି ଅମଲା ସଂଘ, ହେଲେ ଆନ୍ଦୋଳନରେ ହୋଇନାହାନ୍ତି ସାମିଲ। ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତହସିଲ, ବ୍ଲକ, ଜିଲ୍ଲା କାର୍ଯ୍ୟାଳୟରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ସେପଟେ ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ନାପସନ୍ଦ କରିଛନ୍ତି ସରକାର। କାମ ନାହିଁ ତ ଦରମା ନାହିଁ ବୋଲି ରୋକଠୋକ କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏ ବାବଦରେ ସରକାରଙ୍କ ନିଷ୍ପତ୍ତି ଏବେ ବି ବଳବତ୍ତର ରହିଛି। ଲୋକଙ୍କୁ ସେବା ଦେବା ପାଇଁ ସରକାର ଯେ କୌଣସି ସ୍ତରକୁ ଯାଇପାରନ୍ତି। ଆବଶ୍ୟକ ପଡ଼ିଲେ ରାଜସ୍ବ ଅମଲାଙ୍କ ବିନା ସରକାର ସେବା ପହଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ରାଜସ୍ବ ବିଭାଗର ନୁହେଁ, ସାଧାରଣ ପ୍ରଶାସନ ବିଭାଗ ନେବ। ଏସବୁ ପାଇଁ ସମୟ ଲାଗିବ। ତେଣୁ ଅପେକ୍ଷା ନ କରି ଆନ୍ଦୋଳନକୁ ଓହ୍ଲାଇବା ଗ୍ରହଣୀୟ ନୁହେଁ ବୋଲି ରାଜସ୍ବ ମନ୍ତ୍ରୀ କହିବା ସହ ଆନ୍ଦୋଳନରୁ ଓହରିବାକୁ ଅପିଲ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଅଫିସ, ଆରଟିଓ, ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅମଲା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଯାହାର ଫଳ ସ୍ବରୂପ ସାଧାରଣ ଲୋକେ ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।