spot_img

Latest Posts

ବର୍ଷକର ସରକାରରେ ବେହାଲ ଆମ୍ବୁଲାନ୍ସ ସେବା

ନନ୍ଦିଘୋଷ ବ୍ୟୁରୋ : ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଅଟକି ଯାଉଛି ଆମ୍ବୁଲାନ୍ସ । ଡାକ୍ତରଖାନାରେ ନା ରୋଗୀ ପହଞ୍ଚୁଛନ୍ତି ନା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ପଶୁଛି ବର୍ଷା ପାଣି । ରୋଗୀ, ସହାୟକ ଓ ଷ୍ଟାଫ ସମସ୍ତେ ବେହାଲ । ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏ ଚିତ୍ର ଦେଖିଲେ ରାଜ୍ୟରେ ଜରୁରୀକାଳୀନ ସେବା କେମିତି ଚାଲିଛି, ତାହା ଜଳ ଜଳ ଦିଶୁଛି । ନବୀନ ସରକାରରେ ୧୦୮ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯାଇ ଉଚ୍ଚମାନର ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ଆମ୍ବୁଲାନ୍ସ ସେବା ବାବଦରେ ନ ଥିଲା କିଛି ଅଭିଯୋଗ । ହେଲେ ସରକାର ବଦଳିବା ପରେ ବଦଳିଗଲା ଆମ୍ବୁଲାନ୍ସ ସେବା । ଶାସନକୁ ଆସିବା ପରେ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥାକୁ ସରକାର ବଦଳାଇଦେଲେ । ଡ୍ରାଇଭର, ସହାୟକମାନଙ୍କୁ ସର୍ବନିମ୍ନ ସୁବିଧା ନ ମିଳିବାରୁ ରାସ୍ତାକୁ ଓହ୍ଲାଇଲା ସଂଘ। କିଛି କର୍ମଚାରୀଙ୍କୁ ଛଟେଇ କରିବାରୁ ତେଜିଲା ଆନ୍ଦୋଳନ। ଏମାନଙ୍କ ଦାବି ସମ୍ପୂର୍ଣ୍ଣ ପୂରଣ ହୋଇନଥିବା ବେଳେ ଏବେ ଆମ୍ବୁଲାନ୍ସର ବିକଳ ଚିତ୍ର ସାମ୍ନାକୁ ଆସିଛି।

ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସୁଥିବା ଅର୍ଥ ବାଟମାରଣା ହେଉଛି ବୋଲି କର୍ମଚାରୀ ସଂଘ ଅଭିଯୋଗ କରିଛି । ଆମ୍ବୁଲାନ୍ସ ସେବାର ମାନ ତଦାରଖ ପାଇଁ ସ୍ଵାସ୍ଥ୍ୟ ବିଭାଗର ଆନ୍ତରିକତା ନଥିବା ଭଳି ଅନୁଭବ ହେଉଛି । କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଡବଲ ଇଞ୍ଜିନର ଡବଲ ଧୋକା ବୋଲି କଂଗ୍ରେସ ଅଭିଯୋଗ କରିଛି । ନବୀନ ବାବୁଙ୍କ ଶାସନରେ ଆମ୍ବୁଲାନ୍ସ ସେବା ଭଲରେ ଚାଲୁଥିବା ବେଳେ ବିଜେପି ସରକାର ଏଥିପ୍ରତି ନଜର ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି।ବିଜୁ ସ୍ଵାସ୍ଥ୍ୟ ଯୋଜନାରୁ ବିଜେପି ସରକାର ଆୟୁଷ୍ମାନ ଯୋଜନାକୁ ବଦଳାଇବା ପରେ ସ୍ଵାସ୍ଥ୍ୟ ସେବାକୁ ନେଇ ରାଜ୍ୟର କୋଣ ଅନୁକୋଣରୁ ଅନେକ ଅଭିଯୋଗ ଆସୁଛି। ଏବେ ଆମ୍ବୁଲାନ୍ସ ସେବାର ଦୟନୀୟ ଚିତ୍ର ସାମନାକୁ ଆସିବା ପରେ ଜରୁରୀକାଳୀନ ସେବା ପାଇଁ ସରକାରଙ୍କ ଏପରି ହେୟଜ୍ଞାନକୁ ନେଇ ଖୁବ ସମାଲୋଚନା ହେଉଛି।

Latest Posts

Don't Miss