ଆମେରିକାରେ ଏହିସବୁ ଜିନିଷ ନେଉଛନ୍ତି ଚୋର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଅଦ୍ଭୁତ ଅବସ୍ଥା । ଟୁଥପେଷ୍ଟ, ଚକୋଲେଟ, ଓ୍ବାସିଂ ପାଉଡର ଓ ଡିଓଡରାଣ୍ଟର ଦର ଆକାଶ ଛୁଆଁ । ହେଲେ କାରଣ ଭିନ୍ନ । ଦେଶରେ ଏସବୁ ଜିନିଷର ଚୋରି ବୃଦ୍ଧି ପାଉଥିବାରୁ ରିଟେଲରମାନେ ସମସ୍ୟାରେ ପଡିଛନ୍ତି । ସେମାନେ ଏସବୁ ଜିନିଷକୁ ସର୍ବଦା କଡା ସୁରକ୍ଷା ମଧ୍ୟରେ ରଖୁଛନ୍ତି । ଫଳରେ ବଜାରରେ ଏହିସବୁ ଜିନିଷ ଦୁଷ୍ପ୍ରାପ୍ୟ ହେବାରେ ଲାଗିଛି । ଏହି କାରଣ ଯୋଗୁ ଦରବୃଦ୍ଧି ଘଟୁଥିବାରୁ ଖାଉଟି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦେଶରେ ଏହି ସବୁ ଜିନିଷର ଚୋରି ବୃଦ୍ଧି ପାଉଥିବା ସହ ସଂଗଠିତ ଅପରାଧମାନ ଘଟୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରିଟେଲର ଓ୍ବାଲମାର୍ଟ ଆଣ୍ଟ ଟାର୍ଗେଟ, ସିଭିଏସ, ଓ୍ବାଲଗ୍ରୀନ, ହୋମଡିପୋ, ଜୋତା ବିକ୍ର ସଂସ୍ଥା ଫୁଟ ଲକର । ଚୋରିକୁ କେନ୍ଦ୍ର କରି ବହୁ ହିଂସା ଘଟୁଥିବାରୁ ଏହି ସଂସ୍ଥାମାନେ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ସଂଗଠିତ ଖୁଚୁରା ଅପରାଧ ଓ ଚୋରି ଆଦି ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ପୋର୍ଟିଂ ଗୁଡସର ସିଇଓ ଲରେନ ହୋବାର୍ଟ । ଚଳିତ ବର୍ଷର ପ୍ରଥମ ୫ ମାସରେ ଆମେରିକାରେ ଥିବା ଏହି ସଂସ୍ଥାଗୁଡିକରେ ଚୋରି ସଂଖ୍ୟା ୧୨୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି ।

ନ୍ୟାସନାଲ ରିଟେଲ ଫେଡେରେସନର ରିପୋର୍ଟ ଅନୁସାରେ ୨୦୨୨ରେ ରିଟେଲର ସଂସ୍ଥାମାନେ ଚୋରି, ଦୋକାନରୁ ଲୁଟ, ପ୍ରଶାସନିକ ତ୍ରୁଟି ଆଦି କାରଣରୁ ୯୪.୫ ବିଲିୟନ ଡଲାର କ୍ଷତି କରିଛନ୍ତି । ଚୋରଙ୍କ ଦାଉରୁ ରକ୍ଷା କରିବା ଲାଗି ଦୋକାନୀମାନେ ରେଫ୍ରିଜେରେଟରରେ ପ୍ୟାଡଲକଡ ଚେନ ଲଗାଇବା ସହ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଓ୍ବାଶିଂଟନ ସୁପରମାର୍କେଟରେ ବି ଚୋରି ଓ ହିଂସା ବଢୁଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୧୨ ତାରିଖରେ ଲସ ଏଞ୍ଜେଲସରେ ନର୍ଡଷ୍ଟର୍ମ ଷ୍ଟୋରରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୩ ଲକ୍ଷ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟ୍ କରିଥିଲେ ।