ଆନନ୍ଦପୁର : ବିସ୍ତୀର୍ଣ୍ଣ ଜଳରାଶି ଉପରେ ବିଶାଳ ବନ୍ଧ । ସାଳନ୍ଦୀ ନଦୀ ଉପରେ ଛିଡା ହୋଇଛି ହଦଗଡ଼ । ଉଭୟ କଡରେ ବିସ୍ତାରିତ ହୋଇ ରହିଛି ବନଖଣ୍ଡ । ଏଠାରେ ଯେଭଳି ଅଜାଡି ହୋଇ ପଡିଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ହଦଗଡ଼ ଡ୍ୟାମ । ଚାଷୀଙ୍କ ସୁବିଧା ପାଇଁ ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ ହୋଇଥିଲା । ହେଲେ ଏହି ଡ୍ୟାମ ପାଲଟିଛି ପର୍ଯ୍ୟଟକଙ୍କ ପସନ୍ଦ । ନୀଳ ଜଳରାଶି ସହ ବଣପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାକୁ କାହିଁ କେଉଁ ଆଡୁ ଛୁଟି ଆସୁଛନ୍ତି ଲୋକେ । ଡ୍ୟାମ କଡରେ ଜମୁଛି ଭୋଜି ଭାତର ଆସର ।
ପ୍ରତିବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବିଶେଷକରି ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି । ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ ସୁଦ୍ଧା ଏଠାରେ ପର୍ଯ୍ୟଟନ ବିଭାଗ କି ପ୍ରଶାସନ ପକ୍ଷରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନାହିଁ । ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ମାନଚିତ୍ରରେ ହଦଗଡ଼ ଡ୍ୟାମ ସ୍ଥାନ ପାଇଥିଲେ ମଧ୍ୟ ଏହାର କୌଣସି ଉନ୍ନତି ହୋଇ ପାରୁନାହିଁ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

