ଆନନ୍ଦପୁର : ବାପା ମାଆ ଚାଲିଗଲା ପରେ ବେସାହାରା ଦୁଇ ଛୁଆ । ପର ଘରେ ମୂଲ ଲାଗି ନାତି ନାତୁଣୀଙ୍କ ମୁହଁରେ ଦାନା ଗଣ୍ଡେ ଦେଉଛନ୍ତି ଜେଜେ ମାଆ । ମୂଲ ଲାଗିବାକୁ ତାଙ୍କୁ ବୟସ ଆଉ ସାଥ ଦେଉନି । ହେଲେ ଦୁଇ ନିଷ୍ପାପ ପିଲାଙ୍କ ମୁହଁକୁ ଦେଖି ଖଟିଚାଲିଛନ୍ତି ସେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ପୌରପରିଷଦ ୧୨ ନମ୍ବର ୱାର୍ଡ ଶାଳପଡା ଗାଁର ସାଉଁନ୍ତି ସାହିରେ । ଦିନ ଥିଲା ୨ ପୁଅ ଝିଅ ପତ୍ନୀ ଓ ମାଙ୍କୁ ନେଇ ହସଖୁସିରେ ଚାଲିଥିଲା ପ୍ରଦୀପ ନାୟକଙ୍କ ପରିବାର । ହଠାତ କାହାର ନଜର ଲାଗିଗଲା ପରିବାର ଉପରେ । ପ୍ରଦୀପଙ୍କ ପତ୍ନୀ କାହା ସାଙ୍ଗରେ ଅନ୍ୟତ୍ର ଚାଲିଗଲେ । ତାର କିଛି ବର୍ଷ ପରେ ଗାଁ ପୋଖରୀରେ ବୁଡି ପ୍ରଦୀପଙ୍କ ପ୍ରାଣ ଚାଲିଗଲା। ଏବେ ଚାଳ ଛପର ଘରେ ଜରିପାଲ ତଳେ ଦୁର୍ବିସହ ଜୀବନ ବିତାଉଛନ୍ତି ୨ ଭାଇ, ଭଉଣୀ ।
ରାହୁଲ ଏବେ ଅଷ୍ଟମରେ ଆଉ ତାଙ୍କ ଭଉଣୀ ଲକ୍ଷ୍ମୀ ଚତୁର୍ଥ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଛନ୍ତି । ନାହିଁ ନାହିଁ ପରିସ୍ଥିତିରେ ପିଲା ଦୁଇଟିଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଜେଜେ ମା । ଅନ୍ୟପଟେ ତଦନ୍ତ ପରେ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ଅନାଥ ଭାଇ ଭଉଣୀଙ୍କ ଭବିଷ୍ୟତ ନିମନ୍ତେ ସରକାର ଶୀଘ୍ର ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

