ଅନୁଗୁଳ : ଲକ୍ଷାଧିକ ଟଙ୍କା ଠକିନେଲେ ସାଇବର ଲୁଟେରା । ଥାନାରେ ଅଭିଯୋଗ ହେବା ପରେ ୪୮ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୁଳ ପୁଲିସ । ଟ୍ରେଡିଂ ଆପ ଜରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୫୬ ହଜାର ଟଙ୍କା ଠକେଇ ହୋଇଥିଲା । ଏନେଇ ଗତ ଡିସେମ୍ବର ୮ ତାରିଖରେ ଜଣେ ଅଭିଯୋଗକାରୀ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ତୁରନ୍ତ ତତ୍ପରତା ଦେଖାଇଥିଲା । ମୋବାଇଲ ନମ୍ବର ଟ୍ରାକ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଠାବ କରିବା ସହ ନୟାଗଡରେ ଚଢ଼ାଉ କରି ୪୮ ଘଣ୍ଟା ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଜ୍ୟୋତି ନାଏକ , ପ୍ରତାପ ନାଏକ , ରାମଚନ୍ଦ୍ର ମୁଦୁଲି ଏବଂ ଦିବ୍ୟ ରଞ୍ଜନ ଜେନା । ଏମାନେ ସରଣକୁଳ ଥାନା ଅଞ୍ଚଳର ବାସିନ୍ଦା । ସେମାନଙ୍କ ନିକଟରୁ ୬୯ ହଜାର ନଗଦ ଟଙ୍କା ସହ ଅନେକ ଏ ଟି ଏମ୍ କାର୍ଡ଼ , ମୋବାଇଲ ଆଦି ଜବତ କରାଯାଇଛି । ଏହି ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏମାନେ ଟେଲିଗ୍ରାମ ଜରିଆରେ ପ୍ରଲୋଭନ ଦେଖାଇ ଠକେଇ କରିଥିଲେ ବୋଲି ଅଭିଯୋଗ ହୋଇଛି ।

