spot_img

Latest Posts

କାଲି ମିଛ ପୋଲିସ ସାଜି ସୁନା ଲୁଟିଥିଲେ, ଆଜି ସତ ପୋଲିସ ହାତରୁ ଗୁଳି ଖାଇଲେ

ଅନୁଗୋଳ : ଫିଲ୍ମ ଷ୍ଟାଇଲରେ ଲୁଟ୍। ପାୱାର ଦେଖାଇଲା ପୋଲିସ। କାଲି ମିଛ ପୋଲିସ ସାଜି ସୁନା ଲୁଟିଥିଲେ। ଆଜି ସତ ପୋଲିସ ହାତରୁ ଗୁଳି ଖାଇଲେ । ୧୨ ଘଣ୍ଟା ନ ପୁରୁଣୁ ଅନୁଗୋଳ ପୋଲିସର ଏନକାଉଣ୍ଟର। ୨ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ଏନକାଉଣ୍ଟର । ମହାରାଷ୍ଟ୍ରର ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ସଚିନ ଗାଜଗେ ଓ ପ୍ରକାଶ ମାହାନେଙ୍କ ଗୋଡ଼ରେ ବାଜିଛି ଗୁଳି । ଅଭିଯୁକ୍ତମାନେ ପୋଲିସ ଉପରେ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାସହ ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ରାଜେଶ୍ ମାଡନେ ଓ ଦେବ ପ୍ରଭାକର ଲୋଖଣ୍ଡେକୁ ମଧ୍ୟ ଗିରଫ କରିଛି ପୋଲିସ । ଗତକାଲି ତାଳଚେରର ଏକ ସୁନା ରିଫାଇନେରୀ ଦୋକାନରୁ ପୋଲିସର ପରିଚୟ ଦେଇ ଲୁଟିଥିଲେ ସୁନା ।

ପୂରା ଘଟଣା ଥିଲା ଏପରି। ନିଜକୁ ପୋଲିସ ଓ ଇନକମଟାକ୍ସ କର୍ମଚାରୀର ପରିଚୟ ଦେଇ ସୁନା ଲୁଟିଥିଲେ। ତାଳଚେର ହାଟତୋଟା ଅଞ୍ଚଳରେ ଥିବା ‘ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀ’ ଦୋକାନରେ ପଶିଥିଲେ ଏହି ୪ ଜଣ ଲୁଟେରା । ଦୋକାନରୁ ପ୍ରାୟ ୨୯୦ ଗ୍ରାମର ସୁନା ସହ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିଲେ । ଏପରିକି ଦୋକାନର କର୍ମଚାରୀଙ୍କୁ ଉଠାଇ ନେଇ ଅନୁଗୋଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଥିଲେ। କଳା ରଙ୍ଗର ଦାମୀ କାରରେ ଆସି କିଭଳି ଦୋକାନୀଙ୍କୁ ବୋକା ବନେଇ ଲୁଟିନେଲେ, ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଦୋକାନ କର୍ମଚାରୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ଅନୁଗୋଳ ପୋଲିସ। ଏସପିଙ୍କ ନିର୍ଦ୍ଦେଶରେ ୫ ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଷ୍ଟିଙ୍ଗ ଅପରେସନ କରି ଅଭିଯୁକ୍ତଙ୍କୁ କାବୁ କରିଛି। ମାତ୍ର ୧୨ ଘଣ୍ଟା ଭିତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରି ଅନୁଗୋଳ ପୋଲିସ ସହରବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି।

Latest Posts

Don't Miss