ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧା, କୁଡିଆ ଘରେ ବିତାଉଛନ୍ତି ଜୀବନ

ଆସିକା : ଝାଟି ମାଟିରେ ଗଢା ନୁଆଣିଆ କୁଡିଆଟିଏ । ବାହାରୁ ଦେଖିଲେ ଭିତର ଜଳଜଳ ହୋଇ ଦିଶୁଛି । ଘର ଭିତରୁ ଦିନରେ ସୂର୍ଯ୍ଯ ରାତିରେ ତାରା ଦେଖାଯାଉଛି । ଜରିପାଲ ଖଣ୍ଡେ ବି ପଡିନି । ଆଉ ଏହାରି ଭିତରେ ଜୀବନ ବିତାଉଛନ୍ତି ୭୦ ବର୍ଷୀୟା ବୃଦ୍ଧା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ପଞ୍ଚାୟତ କଳାସୁତା ଗାଁର ବଙ୍ଗାଳି ଗୌଡଙ୍କ ଦୁଃଖ କହିଲେ ନସରେ । ସ୍ୱାମୀ ,ପୁଅ, ବୋହୂ ସମସ୍ତେ ବଙ୍ଗାଳୀଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଯିବା ପରେ ସେ ଏବେ ଏକଲା । ତାଙ୍କର ଯେଉଁ ଚାଳ ଛପର ଘର ଖଣ୍ଡେ ଥିଲା ତାହା ବି ବର୍ଷାରେ ମାଟିରେ ମିଶି ଯାଇଛି । ସେ ଏବେ ଅନ୍ୟ ଜଣଙ୍କ ନୂଆଣିଆ କୁଡିଆଟିରେ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି । ଟିକିଏ ବର୍ଷା ହେଲେ ଅନ୍ଯ ଘରେ ଆଶ୍ରୟ ନେଉଛନ୍ତି ।..

ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବଙ୍ଗାଳି ଦୀର୍ଘ ଦିନ ହେଲା ବିଭିନ୍ନ ଅଫିସକୁ ଧାଇଁ ନୟାନ୍ତ ହେଲେଣି । ହେଲେ ବୃଦ୍ଧାଙ୍କ ଗୁହାରି କେହି ଶୁଣୁନାହାନ୍ତି । ବଙ୍ଗାଳିଙ୍କୁ ସରକାରୀ ସହାୟତା ଭାବେ କେବଳ ଚାଉଳ ଓ ବାର ଶହ ଟଙ୍କାର ଭତ୍ତା ଟିକକ ମିଳୁଛି । ସେଥିରେ ସେ ଅତି କଷ୍ଟରେ ଓଳିଏ ଖାଇ ଓଳିଏ ଉପାସରେ ରହି ଦିନ କାଟୁଛନ୍ତି । ବଙ୍ଗାଳୀଙ୍କୁ ଶୀଘ୍ର ଘର ଖଣ୍ଡେ ଯୋଗାଇ ଦେବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଗ୍ରାମବାସୀ । ଯଥାଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଉପଜିଲ୍ଲାପାଳ କହିଥିବା ବେଳେ କ୍ଯାମରେ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।.