ନନ୍ଦିଘୋଷ ବ୍ୟୁରୋ : ଆସାମରେ କକରୋଚ ଜନତା ପାର୍ଟି ଓ ବିଜେପି ନେତୃତ୍ବାଧୀନ ସରକାର ମଧ୍ୟରେ ଛକାପଞ୍ଝା। ସଂଗଠନର କର୍ମକର୍ତ୍ତାମାନେ ପ୍ରଥମ ଆଞ୍ଚଳିକ ସ୍ବେଚ୍ଛାସେବୀମାନଙ୍କ ବୈଠକକୁ ନେଇ ଜୋରଦାର ହଙ୍ଗାମା। ସିଜେପିର ଉପଆବାହକ ଆଶୁତୋଷ ରାଙ୍କାଙ୍କ ସମେତ କିଛି କର୍ମକର୍ତ୍ତାଙ୍କୁ ଅଟକ ରଖିଛି ପୋଲିସ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଉପରେ ବର୍ଷିଛନ୍ତି ଆଶୁତୋଷ। ସିଜେପିର କାୟା ବିସ୍ତାରକୁ ନେଇ ହିମନ୍ତ ଆତଙ୍କିତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏକ ଘରୋଇ ସ୍ଥାନରେ ସିଜେପି କର୍ମୀମାନେ ଏକତ୍ରିତ ହେବାକୁ ଯାଉଥିବାବେଳେ ସେମାନଙ୍କୁ ଅଟକାଇବା ଘଟଣାକୁ ସହଜରେ ଗ୍ରହଣ କରିପାରିନି ସିଜେପି। ଆସାମରେ ଶିକ୍ଷାର ଅବସ୍ଥା ଗମ୍ଭୀର ରହିଛି। ସ୍କୁଲଗୁଡିକର ସ୍ଥିତି କହିଲେ ନସରେ। ରାଜ୍ୟରେ ମନୁଷ୍ୟକୃତ ବନ୍ୟା ଘଟିଚାଲିଛି। ଏସବୁ ଭିତିରି ବିଷୟ ପଦାକୁ ଆସିବା ଆଶଙ୍କା ଥିବାରୁ ସିଜେପି ବୈଠକକୁ କରାଇ ନଦେବା ଲାଗି ସରକାର ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି। କର୍ମୀମାନଙ୍କୁ ଧମକାଇ ବା ଅଟକ ରଖି ସରକାର ସ୍ବର ଚାପି ପାରିବେ ନାହିଁ ବୋଲି ସେ କହିଛନ୍ତି। ଗୁଆହାଟିରେ ଏହି ବୈଠକ ହେବାକୁ ଥିବାବେଳେ ଶନିବାରଠାରୁ ଏହାର ପ୍ରସ୍ତୁତି ଲାଗି ଗୁଆହାଟିରେ ପହଞ୍ଚିଥିଲେ ଆଶୁତୋଷ। ତେବେ ବୈଠକ ଆରମ୍ଭ ପୂର୍ବରୁ ସଭାସ୍ଥଳୀ ଆଡକୁ ଯିବାକୁ ଥିବା ପଥଗୁଡିକୁ ପୋଲିସ ବ୍ଲକ କରିଥିବା ଅଭିଯୋଗ କରିଛନ୍ତି ଆଶୁତୋଷ। ଏହି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ।ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଶିକ୍ଷା ସଂକ୍ରାନ୍ତରେ ଯେ କୌଣସି ସଂଗଠନ ବା ଦଳର ପ୍ରସ୍ତାବକୁ ସେ ବିଚାର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।…

