ଚାଷୀ ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ହୁଲସ୍ତୁଲ ହେବ ମୌସୁମୀ ଅଧିବେଶନ

ଭୁବନେଶ୍ବର  : ରଣନୀତି ପ୍ରସ୍ତୁତ, ଲମ୍ବା ପ୍ରସଙ୍ଗ । ସାର ସଙ୍କଟ, ଚାଷୀ ସମସ୍ୟା, ମହିଳା ଅସୁରକ୍ଷିତ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ସହ ବେକାରୀ, ମହାନଦୀ, କୋଟିଆ, ପୋଲାଭରମ ପରି ବଡ ବଡ ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି।  ଦେଢ ବର୍ଷ ଭିତରେ ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି ବିଜେପି ସରକାର। ସରକାରରେ ବିଭାଗ ବିଭାଗ ମଧ୍ୟରେ ରହୁନି ସମନ୍ବୟ। ଓଡ଼ିଶାର ସ୍ବାର୍ଥରେ ଯିଏ ବାଧକ ସାଜିବ, ବିଜେଡି ତାହା ବିରୋଧରେ ସ୍ବର ଉଠାଇବ। ସାର ପାଇବା ପାଇଁ ଚାଷୀ ହଇରାଣ ହେଉଥିବା ବେଳେ, ସରକାର କହୁଛନ୍ତି  ସାର ମହଜୁଦ ଅଛି। ଯଦି ରାଜ୍ୟରେ ସାରା ସଙ୍କଟ ନାହିଁ, ତେବେ ଚାଷୀ କାହିଁକି ସାର ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। କଣ ଏଠି ଚାଷୀ ମିଛ ଓ ସରକାର ସତ କହୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି। ସ୍ବଳ୍ପକାଳୀନ ଅଧିବେଶନରେ ବିଜେଡି, ସରକାରଙ୍କୁ ଜବାବ ମାଗିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ଦେଢ ବର୍ଷର ବିଜେପି ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି। ଯାହାକୁ ନେଇ ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ। ଧାନ ନଉଠିବା ଠାରୁ ଆରମ୍ଭ କରି ସାର କଳାବଜାରୀ, ନାରୀ ନିର୍ଯାତନା, ବେକାରୀ ପରି ମାଳମାଳ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଘେରିବ ଦଳ। ସେପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାକୁ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାରୁ ବେଶ ସରଗରମ ହେବ ଗୃହ।