କୋଣାର୍କ : ୧୫ ଏପ୍ରିଲ, ୨୦୨୬ । ସମୁଦ୍ରରେ ମାଛ ଧରା ଉପରେ ଲାଗିଲା କଟକଣା । ଜୁନ ୧୪ରେ ହଟିବ କଟକଣା । ହାତରେ ଆଉ ଅଳ୍ପ ଦିନ । ହେଲେ ମତ୍ସ୍ୟଜୀବୀଙ୍କ ମନରେ ଖୁସି ନାହିଁ । ତେଲ ତାତିଲେ ଧୀବର ହତାଶ । କିପରି ସମୁଦ୍ରକୁ ନେଇକି ଯିବେ ବୋଟ ? ଚିନ୍ତାରେ ୧୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କ ପରିବାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ । ସ୍ଥିତି ଏଭଳି ହେଲାଣି କି, ଆଶଙ୍କା ଭିତରେ ହଜାର ହଜାର ମତ୍ସ୍ୟଜୀବୀ ସେମାନଙ୍କ ବୋଟ ଅନ୍ୟକୁ ଟେକି ଦେବାକୁ ସଜବାଜ ହେଲେଣି । ଅନେକ ଦାଦନ ମୁହାଁ ହେବା ସହ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଗଲେଣି ।…
ସମୁଦ୍ରକୁ ମାଛ ଧରିବାକୁ ଗଲେ ଥରକେ ଟ୍ରଲରରେ ୨୫ ଶହ ଲିଟର ଡିଜେଲ ନେବାକୁ ପଡ଼େ । ଲିଟର ପିଛା ହାହାହାରି ଶହେ ଟଙ୍କା ହିସାବ କଲେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିସହ ୪୦ ହଜାର ଟଙ୍କାର ବରଫ, ୨୦ ହଜାରର ରାସନ ସହ ଅନ୍ୟାନ୍ୟ ଖର୍ଚ୍ଚ ଅଛି । ମାତ୍ର ସେହି ଅନୁପାତରେ ମାଛ ପଡୁନାହାନ୍ତି । ପୂର୍ବରୁ ଡିଜେଲ ବାବଦକୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ତାହା ବୃଦ୍ଧି ପାଇ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟପିଲାଣି । ଋଣ ସୁଝିବାକୁ ହାତ ଗଣତି ବୋଟ ସମୁଦ୍ରକୁ ଯାଉଥିଲା । ପୁଣି ଡିଜେଲ ଦର ବୃଦ୍ଧି ମତ୍ସ୍ୟଜୀବୀ ଓ ବୋଟ ମାଲିକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ପହିଲି ରଜରୁ ସମୁଦ୍ରକୁ ବୋଟ ଗଡିବ କି ନାହିଁ ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ମାଛଧରା ବନ୍ଦ ହୋଇଗଲେ ହଜାର ହଜାର ପରିବାରର ଜୀବିକା ଉଜୁଡିଯିବ । ଧାର କରଜ କରି ବୋଟ ଚଳାଉଥିବା ମାଲିକ, ମତ୍ସ୍ୟଜୀବୀ ଓ କର୍ମଚାରୀଙ୍କ ସ୍ଥିତି ଦୟନୀୟ ହୋଇପଡିବ । ସରକାର ତୁରନ୍ତ ଡିଜେଲ ଉପରେ ରିହାତି ଘୋଷଣା ନ କଲେ । ଅସ୍ତରଙ୍ଗରୁ ବୋଟ ଉଠିଯିବା ସହ ମାଛ ଦର ଆକାଶଛୁଆଁ ହେବା ନିଶ୍ଚିତ ।

