ମହାପ୍ରଭୁଙ୍କ ବସ୍ତ୍ର ତିଆରିରେ ନିମଗ୍ନ ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର

ଆଠଗଡ଼ : ଅଣସରରେ ଜଗତ ସାଆନ୍ତ । ଆଉ ଦିନ କେଇଟା ପରେ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେବ ନବ ବସ୍ତ୍ର । ଏଥିଲାଗି ବସ୍ତ୍ର ତିଆରିରେ ନିମଗ୍ନ ବୁଣାକାର ପରିବାର । କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ । କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର ଶ୍ରୀଜିୟୁଙ୍କ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଉଛନ୍ତି । ସ୍ନାନଯାତ୍ରା ପାଇଁ ଖଣ୍ଡୁଆ ପାଟ ପୁରୀରେ ପହଞ୍ଚିଥିବା ବେଳେ ଗୁଣ୍ଡିଚା ପୂର୍ବରୁ ମହାପ୍ରଭୁଙ୍କ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ । ସେଥିପାଇଁ ଚଳଚଞ୍ଚଳ ବୁଣାକାର  ।

ଶ୍ରୀ ଜିଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନୀଲାଦ୍ରୀ ବିଜେ ହେଉ ଅବା ଅନବସର । ମହାପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର । ଏହି ବସ୍ତ୍ରରେ ଅନେକ ପ୍ରକାର ଡିଜାଇନ ତିଆରି ହୋଇଥାଏ । କେଉଁ ବସ୍ତ୍ରରେ ଗୀତ ଗୋବିନ୍ଦ ଲେଖା ଯାଇଥାଏ ତ ଅନେକ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଲୋକ । ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଇଥାନ୍ତି ନୂଆପାଟଣା ଗାଁର ବୁଣାକାର ପରିବାର । ଘରର ପିଲା ଠାରୁ ବୃଦ୍ଧା ଯାଏଁ ଏହି ବସ୍ତ୍ରକୁ ତିଆରିରେ ଲାଗିପଡିଥାନ୍ତି । ଏହି ବସ୍ତ୍ରକୁ ପିନ୍ଧି ପ୍ରଭୁ ଘୋଷଯାତ୍ରାରେ ଗଲାବେଳେ ଖୁବ ଆନନ୍ଦ ଲାଗିଥାଏ ବୋଲି କହିଛନ୍ତି ବୁଣାକାର । ଜଗତରନାଥ ଜଗନ୍ନାଥଙ୍କ ବିଭିନ୍ନ ସେବାରେ ଲାଗିଥାନ୍ତି ଭିନ୍ନ ଭିନ୍ନ ସେବକ ପରିବାର । ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ଯ ପାଇଥିବାରୁ ନିଜକୁ ଧନ୍ଯ ମନେ କରିଥାନ୍ତି ବୁଣାକାର ।