ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ

ମୁମ୍ବାଇ: ମୁମ୍ବାଇରେ ହନୁମାନ ଚାଳିଶା ବିବାଦ ପ୍ରସଙ୍ଗ । ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ ସେମାନେ କରିଥିବା ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ କୋର୍ଟ ।

ଅନ୍ୟପଟେ ଆଜି ମଧ୍ୟ ରାଣା ଦମ୍ପତିଙ୍କୁ ଜେଲରେ ବିତାଇବାକୁ ପଡ଼ିବ । ଯଦିଓ ତାଙ୍କ ଓକିଲ ଏହି ମାମଲାର ଜରୁରୀକାଳୀନ ଭାବରେ ଶୁଣାଣି ପାଇଁ ଦାବି କରିଥିଲେ, ତଥାପି ଏହା ସମ୍ଭବ ହୋଇପାରିଲା ନାହିଁ । ପୁଲିସ୍‌ ଦଲିଲରେ କହିଛିଯେ, ଦୁଇଜଣଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲାଗିଛି । ଅନ୍ୟପଟେ ରାଣା ଦମ୍ପତିଙ୍କ ଓକିଲ କହିଛନ୍ତିଯେ, ଘରେ ତାଙ୍କ ବାପା ମା’ ଅଛନ୍ତି ଏବଂ ସେମାନଙ୍କ ଦେଖାଶୁଣା ପାଇଁ ଏମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି । ସେ ଏମିତି ସେମିତି ନେତା ନୁହଁନ୍ତି ଯିଏ ଲୁଚିଯିବେ ବା ଦେଶ ଛାଡ଼ି କେଉଁଆଡ଼େ ଚାଲିଯିବେ ।  ଦୁଇଜଣଙ୍କର ଏକ ୮ ବର୍ଷର ସନ୍ତାନ ମଧ୍ୟ ଅଛି । ତେଣୁ କୋର୍ଟ ସମସ୍ତ ଦିଗକୁ ନଜରରେ ରଖି ଉଭୟଙ୍କୁ ଛାଡ଼ି ଦେବା ଉଚିତ୍‌ ।

ସୂଚନାଯୋଗ୍ୟ,  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଆହ୍ୱାନ ଦେଇ ଗତ ଶନିବାର ଗିରଫ ହୋଇଥିଲେ ନବନୀତ ଓ ରବି । ନବନୀତଙ୍କୁ ବାଇକୁଲା ଜେଲରେ ରଖାଯାଇଥିବାବେଳେ ରବିଙ୍କୁ ନାଭି ମୁମ୍ବାଇ ଅନ୍ତର୍ଗତ ତଲୋଜା ଜେଲରେ ରଖାଯାଇଛି ।