ରାତିରେ ହାଇ ବିମ ଲାଇଟ୍ ନଲଗାଇବାକୁ ସଚେତନତା

ନନ୍ଦିଘୋଷ ବ୍ୟୁରୋ: ରାତିରେ ଅଧିକାଂଶ ଦୁର୍ଘଟଣାର କାରଣ ହେଉଛି ହାଇ ବିମ୍ ବା ଉଜ୍ଜ୍ବଳ ଆଲୋକର ବ୍ୟବହାର । କେଉଁ ସମୟରେ ଉଜ୍ଜ୍ବଳ ଆଲୋକ ଓ କେଉଁ ସମୟରେ କମ୍ ଆଲୋକ ବ୍ୟବହାର କରାଯିବ ତାହା ବହୁ ଗାଡି ଚାଳକଙ୍କ ଜଣାନାହିଁ । ତେଣୁ ସଚେତନତା ଅଭାବରୁ ଦୁର୍ଘଟଣା ଘଟିବା ସହ ଚାଲି ଯାଉଛି ଅମୂଲ୍ୟ ଜୀବନ । ଏମିତି ସମସ୍ୟାର ସମ୍ପର୍କରେ ରାଜଧାନୀ ଭୁବନେଶ୍ବରରେ ଗାଡି ଚାଳକଙ୍କୁ କରାଯାଇଛି ସଚେତନ । ଏବିସିଡି ଡ୍ରାଇଭିଂ ଟ୍ରେନିଂ ସ୍କୁଲ ହାଇ ବିମର ସଠିକ୍ ବ୍ୟବହାର ନେଇ ରାଜଧାନୀର ସିଆରପି ଓ ଗୋଠାପାଟନା ରାସ୍ତାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲା ।

କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ରାତିରେ ହାଇ ବିମ ବ୍ୟବହାର ଯୋଗୁଁ ହେଉଥିବା ଦୁର୍ଘଟଣାର ବୃଦ୍ଧିକୁ ରୋକିବା । ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ବି ପ୍ରାୟତଃ ଏହାକୁ ଅଣଦେଖା କରାଯାଏ । ଚାଳକ ଓ ପଥଚାରୀଙ୍କୁ ସଚେତନ କରିବା ପାଇଁ ଏବିସିଡି ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଫ୍ଲାସକାର୍ଡ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ହାଇ ବିମ୍ର ଅପବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଓ ଏହାର ସଠିକ୍ ବ୍ୟବହାର ଦ୍ୱାରା ଦୁର୍ଘଟଣା ରୋକିବା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଅନେକ ସଚେତନ ନାଗରିକ ନିଜ ଆଡୁ ଇଚ୍ଛା ପ୍ରକାଶ କରି ରାସ୍ତାରେ ଯିବା ସମୟରେ ମଧ୍ୟ କିଛି ସମୟ ଅଟକି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହାଇ ବିମ୍ ଅନ୍ୟମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ଅଧିକ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ରମାନନ୍ଦ ଦାସ, ଆଲୋକ ବେହେରା, ଦିଲ୍ଲୀପ ବରାଡ଼, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ ।