ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଯୋଗ୍ୟ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଘର

ଯାଜପୁର: ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଆଭିଯୋଗ । ଯୋଗ୍ୟ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଘର । ଅଯୋଗ୍ୟ ମହଲା ଉପରେ ମହଲା କରୁଥିବା ବେଳେ ଗରିବ ଲୋକ ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆରେ ରହୁଛନ୍ତି । ପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଗୁହାରୀ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

 

ଟିଣ ଛପର ଘର । କେଉଁଠି ଟିଣ ଫାଟି ଯାଇଛି ତ କେଉଁଠି ଦଦରା କାନ୍ଥ ଭାଙ୍ଗିବାକୁ ବସିଲାଣି । ଆଉ ଏହାରି ଭିତରେ ଅସହାୟ ଅବସ୍ଥାରେ ରହୁଛନ୍ତି ମଣିଷ । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ଵାଇଁଖଣ୍ଡ ପଞ୍ଚାୟତର । ଆବାସ ଯୋଜନାରେ ଘରେ ଖଣ୍ଡେ ମିଳିନଥିବାରୁ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଲଳିତା ବେହେରାଙ୍କ ପରିବାର । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ଖାଲି ଲଳିତା ବେହେରା ନୁହେଁ, ଏଭଳି ଅନେକ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନଥିବା ଅଭିଯୋଗ ହୋଇଛି । ଗୁହାରୀ ପରେ ଗୁହାରୀ କରି ବିଫଳ ହେବା ପରେ ବାଧ୍ୟ ହୋଇ ଭଙ୍ଗା କୁଡିଆରେ ଆଶ୍ରୟ ନେଉଛନ୍ତି । ଆଉ ଅପେକ୍ଷା କରିଛନ୍ତି ସରକାରୀ ଯୋଜନା ଘର ଖଣ୍ଡେ ପାଇଁ । ଏନେଇ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରି ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତେବେ କେବେ ଏହି ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର ମିଳୁଛି, ତାହା ଦେଖିବାକୁ ବାକି ରହିଲା ।

Leave a Reply