ନନ୍ଦିଘୋଷ ବ୍ୟରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ‘ଅତି ଭୀଷଣ ବାତ୍ୟା’ର ରୂପ ନେଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସର୍ବୋଚ୍ଚ ସତର୍କତା ସ୍ୱରୂପ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ବାତ୍ୟାଟି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ୟାନାମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଗତ ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହାେଇଛି ।
ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୩୮୦ କି.ମି. ଦକ୍ଷିଣ, ବିଶାଖାପାଟଣାଠାରୁ ପ୍ରାୟ ୩୦୦ କି.ମି. ଦକ୍ଷିଣପୂର୍ବ, କାକିନାଡ଼ାଠାରୁ ପ୍ରାୟ ୩୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟ୍ଟନମ୍ଠାରୁ ପ୍ରାୟ ୪୬୦ କି.ମି. ପୂର୍ବ ଓ ବାପଟ୍ଲାଠାରୁ ପ୍ରାୟ ୫୩୦ କି.ମି. ପୂର୍ବରେ ସକ୍ରିୟ ରହିଛି।
ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ।
୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟ୍ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ।
ସ୍ଥଳଭାଗ ଛୁଇଁବା ବେଳେ ଉପକୂଳରେ ପବନର ନିରନ୍ତର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଯଦିଓ ଲ୍ୟାଣ୍ଡଫଲ୍ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବ, ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ଆଶଙ୍କା ରହିଛି।
ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ବିଶାଖାପାଟଣା ରାଡାରରେ ବାତ୍ୟା ‘ଅର୍ଣ୍ଣବ’ର ଆଖି ସ୍ପଷ୍ଟ ଦୃଶ୍ୟମାନ ହେଉଛି।

