ବଲାଙ୍ଗୀରରେ ଡାକ୍ତର ମରୁଡି, ୨୨ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ୩୩୮ ପଦବୀ ଖାଲି
1 min read
ବଲାଙ୍ଗୀର : ଦୀପ ତଳ ଅନ୍ଧାର । ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଉକ୍ତିର ଜ୍ବଳନ୍ତ ଉଦାହରଣ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଡାକ୍ତର୍ ମରୁଡି । ହେଲେ ଚାଲିଛି ଡେପୁଟେସନ ଖେଳ I ବଲାଙ୍ଗୀର ଭଳି ଅନୁନ୍ନତ ଓ ଦାଦନ, ମାଓପ୍ରବଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ସରକାର I ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ସହ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ I ନିର୍ବାଚନ ପୂର୍ବରୁ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଉଦଘାଟନ ମଧ୍ଯ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କିନ୍ତୁ ନୂଆ ସରକାର ଆସିବା ପରେ ବଲାଙ୍ଗୀର ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିଲା I ହେଲେ ଲୋକଙ୍କ ଆଶା ତ ପୂରଣ ହୋଇ ପାରିଲା ନାହିଁ ବରଂ ଡାକ୍ତର ଓ ପ୍ରଫେସର ସରକାରଙ୍କୁ ହାତ କରି ଅନ୍ୟତ୍ର ଚାଲିଯାଉଥିବା ଅଭିଯୋଗ ହୋଇଛି I ଇଏନଟି ବିଭାଗରେ ଥିବା ଏକ ମାତ୍ର ପ୍ରଫେସର ସତ୍ୟଜିତ ମିଶ୍ରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ଡେପୁଟେସନରେ ପଠାଯାଇଛି I ସେ ଡେପୁଟେସନ ଯିବାପରେ ସେହି ବିଭାଗରେ ପ୍ରଫେସର ପଦବୀ ଖାଲି ପଡିଛି I ରୋଗୀ ମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ଫେରି ଯାଉଛନ୍ତି I ଅନ୍ୟ ବିଭାଗ ଗୁଡିକରେ ମଧ୍ଯ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି I ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଶତାଧିକ ଡାକ୍ତର ମରୁଡି ଥିବା ବେଳେ ଡେପୁଟେସନ ଖେଳର ଭିତିରି ରହସ୍ୟ କ’ଣ ବୋଲି ପ୍ରଶ୍ନ ଉଠିଛି I
ଜିଲ୍ଲାର ୨୨ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ୬୦୪ ଜଣ ଡାକ୍ତର ରହିବା ଆବଶ୍ୟକ । କିନ୍ତୁ ୨୬୬ ଜଣ ଡାକ୍ତର ଅଛନ୍ତି I ଜିଲ୍ଲାରେ ୩୩୮ ଡାକ୍ତର ପଦବୀ ଖାଲି ପଡ଼ିଛି I ଏଥିରୁ କିଛି ଚୁକ୍ତିଭିତ୍ତିକ ଡାକ୍ତର ଅଛନ୍ତି I ସମସ୍ତ ମେଡିକାଲରେ ଡାକ୍ତର ଅଭାବ ଥିବାବେଳେ ପ୍ରଫେସର ଏବଂ ବରିଷ୍ଠ ଡାକ୍ତରଙ୍କୁ ଅନ୍ୟ ମେଡିକାଲକୁ ଡେପୁଟେସନରେ ପଠାଇବା ଯୋଗୁ ସ୍ୱାସ୍ଥ୍ୟସେବା ଆହୁରି ଦୟନୀୟ ହୋଇ ପଡିଛି I ଏହାକୁ ସ୍ପୀକାର କରିଛନ୍ତି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ମାନସୀ ପଣ୍ଡା । ବଲାଙ୍ଗୀର ଜିଲ୍ଲାରୁ ଡାକ୍ତର୍ ମାନେ ଚାଲି ଯିବା ମନ୍ତ୍ରୀଙ୍କ ଦକ୍ଷତା ଓ ମନୋଭାବକୁ ପଦାରେ ପକାଇଛି ବୋଲି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି ।