ଅତିରିକ୍ତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାମୀ-ସ୍ତ୍ରୀ’ଙ୍କ ମାରପିଟ୍‌: ଥାନାରେ ଅଟକ

1 min read

ବାଲେଶ୍ୱର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଇ, ଭଉଣୀଙ୍କ ସହିତ ଅନ୍ୟ ଦୁଇଜଣ ମହିଳା ମାରପିଟ୍ କରୁଥିବାର ଦେଖିବାକୁ ମିଳିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଙ୍କାଖଜୁରୀ ଛକ ନିକଟରେ ଥିବା ଆକଟପୁର ଗାଁର ସିଦ୍ଧାର୍ଥ ନାୟକ ଗତ ୨୦୧୮ ମସିହା ଜୁଲାଇ ୭ ତାରିଖରେ ବାହାନଗା ବ୍ଲକ୍‌ ଗଣ୍ଡସ୍ଥପୁର ଗାଁର ସୁବାସିନୀ ମହାନ୍ତିଙ୍କ ସହିତ ବିବାହ କରିଥିଲେ । ବିବାହ ପରଠାରୁ ସୁବାସିନୀଙ୍କୁ ପରିବାର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା । ତେବେ ଗତ ୨୦୨୦ ମସିହା ସେପ୍ଟେମ୍ବର ୨୨ ତାରିଖରେ ସୁବାସିନୀଙ୍କୁ ସ୍ୱାମୀ ସିଦ୍ଧାର୍ଥ, ନଣନ୍ଦ ମଧୁସ୍ମିତା ଓ ପରିବାର ଲୋକେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ । ସେହି ଗାଁର ଅଙ୍ଗନବାଡ଼ି କର୍ମୀ ଗୌରୀ ନାୟକଙ୍କ ସହଯୋଗରେ ସୁବାସିନୀ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ । ଆଜି ଏହି ମାମଲାର ବାଲେଶ୍ୱର ପରିବାର ଅଦାଲତରେ ପ୍ରଥମ ତାରିଖ ଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଅଦାଲତରେ ହାଜର ହୋଇ ଫେରିବା ସମୟରେ ବଚସା ହୋଇଥିଲେ । ଉଭୟେ ଉତକ୍ଷୀପ୍ତ ହେବା ପରେ ହତାହତି ହୋଇଥିଲେ । ତାଙ୍କ ସହିତ ଥିବା ଅଙ୍ଗନବାଡ଼ି କର୍ମୀ ଗୌରୀଙ୍କୁ ମଧ୍ୟ ସିଦ୍ଧାର୍ଥ ଓ ତାଙ୍କ ଭଉଣୀ ମଧୁସ୍ମିତା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହେବାପରେ ପୋଲିସ ସିଦ୍ଧାର୍ଥ ଓ ମଧୁସ୍ମିତାଙ୍କୁ ଥାନାରେ ପଚରା ଉଚରା କରୁଛି ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

Leave a Reply