ଝିଅ ଘରକୁ ରାଧାଷ୍ଟମୀ ଭାର ନେଇ ଯାଉଥିଲେ, ଅଧାବାଟରେ ଭସାଇ ନେଲା ପାହାଡ଼ ପାଣି

Balasore Man Float in Flood Water in the Way of Daughter House With Gift

ବାଲେଶ୍ୱର: ଲଗାଣ ଲଘୁଚାପ ବର୍ଷାରେ ଉବୁଟୁବୁ ଓଡ଼ିଶା । ତୁହାକୁ ତୁହା ବର୍ଷା ଛେଚୁଛି । ବର୍ଷା ଭୟକୁ ଖାତିର୍ ନକରି ଧାର ଟଙ୍କାରେ ଝିଅ ଘରକୁ ରାଧାଷ୍ଟମୀ ଭାର ବାନ୍ଧିଥିଲେ । ଝିପି ଝିପି ବର୍ଷାରେ ଭାର ଧରି ସାଇକେଲରେ ଝିଅ ଘରକୁ ଖୁସି ଖୁସିରେ ବାହାରିଥିଲେ କରୁଣାକର । ହେଲେ, ଅଧାବାଟରେ ଘଟିଗଲା ଅଘଟଣ । ହଠାତ୍ ବନ୍ୟାପାଣି ସୁଅରେ ଭାସିଗଲେ ବାପା, ଭାସିଗଲା ଭାର ।

ମନକୁ ବିବ୍ରତ କରି ଦେଉଥିବା ଏ ଖବର ବାଲେଶ୍ୱର ଜିଲ୍ଲାର । ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ବାଙ୍କିଶୋଳ ଗାଁର କରୁଣାକର ବର୍ଷାକୁ ଖାତିର୍ ନକରି ଝିଅ ପାଇଁ ଭାର ବାନ୍ଧିଥିଲେ । ୨ ହଜାର ଟଙ୍କା ଯୋଗାଡ଼ କରି ଆମ୍ବ, ପିଠା, ଶାଢ଼ି ଆଦି ରାଧାଷ୍ଟମୀ ଭାରରେ ରଖିଥିଲେ । ତାପରେ ସାଇକେଲରେ ଭାରକୁ ଧରି ବାହାରିଥିଲେ ଝିଅ ଘର ବରହମପୁର । ଲଗାଣ ବର୍ଷା ହେଉଥିବାରୁ ପାହାଡ଼ରୁ ପାଣି ଆସି ରାସ୍ତାରେ ଚାଲୁଥିଲା । ସେହି ପାଣିକୁ କାଟି ଆଗକୁ ଝିଅ ଘରକୁ ଗଡ଼ୁଥିଲା କରୁଣାକରଙ୍କ ସାଇକେଲର ଚକ ।

ହଠାତ୍ ପାହାଡ଼ରୁ ଜୋରରେ ପାଣି ସୁଅ ଆସିଲା । ଆଉ ସେଇ ବନ୍ୟାପାଣି ସୁଅରେ ଭାର ସାଇକେଲ ସହ ଭାସିଗଲେ କରୁଣାକର । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଲୋକଙ୍କ ଦ୍ୱାରା କରୁଣାକର କୌଣସି ମତେ ବଞ୍ଚିଯାଇଛନ୍ତି । ହେଲେ ଭାସିଯାଇଛି ଝିଅ ଘରକୁ ନେଇ ଯାଉଥିବା ଭାର ଓ ସାଇକେଲ ।

Leave a Reply