ବାଲେଶ୍ଵର : ରାସ୍ତାକଡ଼ରେ ପଡିଛି ସରକାରୀ ଔଷଧ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ପଡିଛି ଔଷଧ । ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅବଧି ଥିବା ପୁଳାପୁଳା ସରକାରୀ ଔଷଧ। ହସ୍ପିଟାଲରେ ଔଷଧ ଠିକ୍ ସମୟରେ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଅବଧି ସରିନଥିବା ଔଷଧ ରାସ୍ତା ପାଖରେ ପଡିରହିଛି । ଗୋଟିଏ କି ୨ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ ପଡ଼ିରହିଛି । ଏହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ରହିଛି । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖାରହିଛି । ତେବେ ବ୍ୟବହାର ଉପଯୋଗୀ ମେଡିସନ କିଏ ଏବଂ କାହିଁକି ଫୋପାଡିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

