ବାଲେଶ୍ବରରେ ପୁଣି ଲଜ୍ଜା, ଜଣେ ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ !

ବାଲେଶ୍ବର : ବାଲେଶ୍ବରରେ ପୁଣି ଲଜ୍ଜା। ଫକୀର ମୋହନ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଜଣେ ଶ୍ରମିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକ ଦ୍ୱାରା ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଜଣେ ସହକାରୀ ପ୍ରଫେସର ଷ୍ଟାଫ୍ କ୍ୱାର୍ଟରରେ ନଥିବା ବେଳେ, ଶ୍ରମିକ ଜଣକ ଅତର୍କିତ ଭାବେ ଘରେ ପଶି ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ସୌଭାଗ୍ୟ ବଶତଃ ପ୍ରଫେସରଙ୍କ ସ୍ତ୍ରୀ ଅତ୍ମସୁରକ୍ଷା ପାଇଁ ଶ୍ରମିକ ଜଣଙ୍କୁ ଧକ୍କା ଦେଇ ଭିତରୁ କବାଟ କିଳି ସ୍ବାମୀଙ୍କୁ ଫୋନ୍ କରିଥିଲେ । ତେବେ ଧରା ପଡିଯିବା ଭୟରେ ଶ୍ରମିକ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳେଇ ଯାଉଥିବା ବେଳେ, ବିଶ୍ଵବିଦ୍ୟାଳୟର ସୁରକ୍ଷାକର୍ମୀ କାବୁ କରି ପୋଲିସର ଜିମା ଦେଇଥିଲେ । କାଣ୍ଡ ଭିଆଇ ଥିବା ଶ୍ରମିକ ଜଣକ ଗ୍ୟାସ ମରାମତି ନାଁରେ ପ୍ରଫେସରଙ୍କ ଘର ଭିତରକୁ ପଶିଥିବା ଅଭିଯୋଗ ହୋଇଛି। ମାମଲାରେ ଗିରଫ ହୋଇଥିବା ଯୁବକ ଜଣକ ହେଲେ ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଅଞ୍ଚଳର ଶଙ୍କର ଓରଫ ହରିହର ପାତ୍ର। ଏନେଇ ରେମୁଣା ଥାନାରେ ମାମଲା ରୁଜୁ ହୋଇଛି।