ଖଣି ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ଖଣି ବିଭାଗର ଏନଫୋର୍ସମେଣ୍ଟ ଟିମର ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଲେ ୫ଜଣ କର୍ମଚାରୀ । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ପାଇ ଜିଲ୍ଲା ଖଣି ଅଧିକାରିଣୀ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ୍ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ଟିମରେ ଜଳେଶ୍ୱର ଜୁନିଅର ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ , ଭୋଗରାଇ ଜୁନିଅର ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା, ସୋର ଜୁନିଅର୍ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ପର୍ଶୁରାମ ଜେନା ସାମିଲ ରହିଛନ୍ତି । ତେବେ ଗତ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖାରୁ ଚୋରା ବାଲି ଉତ୍ତୋଳନ ହେଉଥିବା ଖବର ପାଇ ରେଡ୍ ପାଇଁ ବାହାରି ଥିଲା ଖଣିବିଭାଗ ଟିମ୍ । ପଥରପୁରା ଠାରେ ଖଣିବିଭାଗର ସ୍ଵତନ୍ତ୍ର ଟିମର ଗାଡ଼ିକୁ ଏକ ବାଲି ବୋଝେଇ ଟ୍ରାକ୍ଟର ଆଗରୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ୫ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।