ବାଲେଶ୍ୱରରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୭୦ରୁ ଅଧିକ ମୃତ ସୂଚନା

1 min read

ବାଲେଶ୍ୱର: ବାଲେଶ୍ବରରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଶତାଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ରହିଥିବା ସୂଚନା । ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ବଗି ତଳେ ଚାପି ହୋଇ ରହିଛନ୍ତି । ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଲା ଚେନ୍ନାଇ ପଟୁ ଆସୁଥିବା ଦୂରନ୍ତ ଏକ୍ସପ୍ରେସ । କରମଣ୍ଡଳ ଏକ୍ସପ୍ରେସ ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିଲା । ପୂର୍ବରୁ ବାହାନଗା ଫାଟକ ନିକଟରେ ଏକ ମାଲଗାଡି ଅନ୍ୟ ଏକ ଟ୍ରାକରେ ଠିଆ ହୋଇଥିଲା । ସେହି ସମୟରେ ଚେନ୍ନାଇ ପଟୁ ଦୂରନ୍ତ ଏକ୍ସପ୍ରେସ ଆସୁଥିଲା । ଦୂରନ୍ତ ଏକ୍ସପ୍ରେସର ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲା । ବଗି ଅଲଗା ହୋଇଯିବା ଫଳରେ ଇଞ୍ଜିନ ଗୋଟିଏ ଟ୍ରାକରେ ଓ ବଗି ଆଉ ଗୋଟିଏ ଟ୍ରାକରେ ଚାଲିଯାଇଥିଲା୍ ।

ଫଳରେ ଅପରପଟୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ସହ ଦୂରନ୍ତର ବଗି ପିଟି ହୋଇଥିଲା । ଅନ୍ୟ ଟ୍ରାକରେ ଠିଆହୋଇଥିବା ମାଲଗାଡ଼ି ସହ ମଧ୍ୟ ଧକ୍କା ହୋଇଥିଲା । ଏବେ ଟ୍ରେନ ତଳେ ଫସିଥିବା ଲୋକଙ୍କୁ ଗ୍ୟାସ କଟରରେ କାଟି ଉଦ୍ଧାର କରାଯାଉଛି । ଦୁର୍ଘଟଣାରେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗୋପାଳପୁର ଓ ଖନ୍ତାପଡ଼ା ହସ୍ପିଟାଲରେ ମଧ୍ୟ ଆହତ ଭର୍ତ୍ତି ହୋଇଛନ୍ତି । ଚିକତ୍ସା ପାଇଁ ବାଲେଶ୍ବର, ଏସସିବି ଓ ଭଦ୍ରକ ମେଡିକାଲରେ ସମସ୍ତ ପ୍ରସ୍ତୁତି କରାଯାଇଛି । ବାଲେଶ୍ବର ପଣପଣା-ବାହାନଗା ଷ୍ଟେସନ ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଦକ୍ଷିଣ ପୂର୍ବ ରେଳ ଡିଭିଜନରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ସମୟରେ ୧୧୦ ସ୍ପିଡରେ ଥିଲା କରମଣ୍ଡଳ । ଦୁର୍ଘଟଣାରେ ବାହାନଗା ରେଳ ଫାଟକ ଭାଙ୍ଗିଯାଇଥିବା ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ରେସକ୍ୟୁ ଟିମ୍ ଲାଗିଥିବା କହିଛନ୍ତି ଜିଲ୍ଲାପାଳ । ଘଟଣା ସ୍ଥଳରେ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତ ଏବଂ ମୃତାହତଙ୍କ ସମ୍ବନ୍ଧରେ ସୂଚନା ପାଇଁ ପାଇଁ ଏସଆରସିଙ୍କ ପକ୍ଷରୁ ଏମରଜେନ୍ସି ନମ୍ବର ୦୬୭୮୨୨୬୨୨୮୬ ଜାରି କରାଯାଇଛି । ଆହତ ମାନଙ୍କୁ ଉଦ୍ଧାର ପାଇଁ 30 NDRF, ୪ ODRAF, ୫୦ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି ।