ନବମ ଶ୍ରେଣୀ ଛାତ୍ରୀଙ୍କୁ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : ଗଣେଶ ପୂଜା ଭସାଣୀ ଦେଖିବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଅଭିଯୁକ୍ତ ଯୁବକ ବିବାହିତ ହୋଇଥିବା ବେଳେ ଘଟଣା ଘଟାଇବା ପରେ ଫେରାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦାରିଙ୍ଗବାଡ଼ି ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ନାବାଳିକା ଛାତ୍ରୀଜଣକ କିଛି ଦିନ ପୂର୍ବେ ଦାରିଙ୍ଗବାଡ଼ି ଅଞ୍ଚଳରେ ରହୁଥିବା ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ହେଲେ ଗତ ୫ ତାରିଖ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ଗଣେଶ ପୂଜା ବିସର୍ଜନ ଭସାଣୀ ଦେଖିବାକୁ ଆସି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଯୁବକ ଜଣକ ଜବରଦସ୍ତ ତାଙ୍କୁ କାର୍ ଭିତରକୁ ଟେକି ନେଇଥିଲା ଏବଂ ଯୋର୍ ଜବରଦସ୍ତ ଦୁଷ୍କର୍ମ କରିବା ସହ ମାଡ଼ ମାରି ନାବାଳିକାଙ୍କ ଭଉଣୀ ଘର ନିକଟରେ ଛାଡ଼ି ଚାଲିଯାଇଥିଲା ।