ପାଞ୍ଚ ଘଣ୍ଟା ପରେ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିଲା

1 min read

ଭଦ୍ରକ: ୫ ଘଣ୍ଟା ପରେ ଛାଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ରାତି ୧୨ ଟା ପରେ ପହଞ୍ଚିବ ଗନ୍ତବ୍ୟସ୍ଥଳ । ସାଢେ ୮ଟାରେ ହାଓ୍ବଡା ପହଞ୍ଚିବାର ଥିଲା । କିନ୍ତୁ ସାଢେ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ହାଓ୍ବଡାରେ ପହଞ୍ଚିବ । ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିବା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଡିଜେଲ ଇଞ୍ଜିନ ଦ୍ବାରା କେନ୍ଦୁଆପଦା ଷ୍ଟେସନ ନିଆଯାଇଥିଲା । ସେଠାରୁ ବିଦ୍ୟୁତ ମାଧ୍ୟମରେ ନିଜସ୍ବ ଇଞ୍ଜିନରେ ହାଓ୍ବଡା ଅଭିମୁଖେ ଯାଉଛି ଟ୍ରେନ୍‌ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନଥିଲା । କିଛି ଜରୁରୀକାଳୀନ ଡୋର ଓ ଝରକା ଖୋଲିଥିଲା । ଏହାକୁ ନେଇ ଯାତ୍ରୀ ମାନେ ଆତଙ୍କିତ ହୋଇପଡିଥିଲେ । ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ଟ୍ରେନର ଦୁରବସ୍ଥା ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଥିଲା । କାଳ ବୈଶାଖୀ ଯୋଗୁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ମନୁଷ୍ୟକୃତ ଅବହେଳା ବୋଲି ଲୋକେ କହିଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସକୁ ଏ-୧ କାଟେଗୋରୀର ଟ୍ରେନ ବୋଲି ବିବେଚନା କରାଯିବା ସହ ଏହାର ସୁରକ୍ଷାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁପରକ୍ଲାସ ବୋଲି ପ୍ରଚାର କରାଯାଉଥିଲା । ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଯେ ଅନ୍ୟ ଯେ କୌଣସି ଟ୍ରେନ ସହ ସମାନ ଆଜିର ଅଘଟଣ ତାହା ପ୍ରମାଣ କରିଛି । ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଥିଲା । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାରେ ବିଫଳ ହୋଇଥିଲେ ।