ବାଙ୍କୀ : ଚାନ୍ଦା ନଦେବାରୁ ଦିବ୍ୟାଙ୍ଗ ଦୋକାନୀଙ୍କୁ ମାଡ଼ ସହ ଦୋକାନ ଭଙ୍ଗାରୁଜା କରି ଲୁଟ୍ । କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢ଼ାବା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାରଙ୍ଗ ରତାଗଡ଼ ଗାଁର ନିରଞ୍ଜନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଷଣ୍ଢପୁର ଛକରେ ଏକ ଦୋକାନ କରିଛନ୍ତି । ଗତକାଲି ଷଣ୍ଢପୁର ଗାଁରେ କାର୍ତିକେଶ୍ୱର ଭସାଣି ଚାଲିଥିବା ବେଳେ ସେହି ଗ୍ରାମର ୨୦ ରୁ ୨୫ ଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କ ଦୋକାନ ନିକଟକୁ ଆସିଥିଲେ । ଯୁବକ ମାନେ ଦୋକାନୀଙ୍କୁ ଚାନ୍ଦା ମାଗିବାରୁ ଦୋକାନୀ ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଯୁବକମାନେ ଦିବ୍ୟାଙ୍ଗ ଦୋକାନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୋକାନ ଭଙ୍ଗାରୁଜା କରି ଦୋକାନରେ ଥିବା ୧୦ ହଜାର ଟଙ୍କା ଜୋର ଜବରଦସ୍ତ ନେଇ ଯାଇଥିଲେ। ଏସଂକ୍ରାନ୍ତରେ ଦିବ୍ୟାଙ୍ଗ ବ୍ୟକ୍ତି ନିରଞ୍ଜନ ନାୟକ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

