ବାଙ୍କୀ ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲାର ବାଙ୍କୀ ଏବେ ବଡ଼ ଗରମ । ନିର୍ବାଚନ ପାଇଁ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ। ତେବେ କାହାର ହେବ ବାଙ୍କୀ ବାଧାନସଭା ନିର୍ବାଚନମଣ୍ଡଳୀ ? ତାକୁ ନେଇ ଚାଲିଛି ଅଙ୍କକଷା।

ସଭା, ଶୋଭାଯାତ୍ରା ଓ ସ୍ଲୋଗାନରେ କମ୍ପୁଛି ମଇଦାନ। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଜୋର୍ ଧରିଛି ପ୍ରଚାର । ବାଙ୍କୀ, ଡମପଡା ଓ ବାରଙ୍ଗ ବ୍ଲକ ଏବଂ ବାଙ୍କୀ ଏନଏସିକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ଅଛନ୍ତି ୨ ଲକ୍ଷ ୧୭ ହଜାର ୮୮୮ ଭୋଟର। ଏଥିରେ ପୁରୁଷ ୧ ଲକ୍ଷ ୧୩ ହଜାର ୧୩୯ ଓ ମହିଳା  ୧ ଲକ୍ଷ ୪ ହଜାର ୭୪୦ ଜଣ ଅଛନ୍ତି ।

ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଦେବୀରଞ୍ଜନ ତ୍ରିପାଠୀ। ବିଜେପି ପକ୍ଷରୁ ତୁଷାରକାନ୍ତି ଚକ୍ରବର୍ତ୍ତୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଚକ୍ରବର୍ତ୍ତୀଙ୍କୁ ଆଶାୟୀ ଶୁଭ୍ରାଂଶୁ ମୋହନ ପାଢ଼ୀ ତୀବ୍ର ବିରୋଧ କରୁଛନ୍ତି। ତେବେ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଚାଲିଛି।

ବାଙ୍କୀରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ  ଅନୁଷ୍ଠିତ ୫ଟି ସାଧାରଣ ନିର୍ବାଚନରେ ବିଜେଡି ୪ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ଥରେ ଜିତିଥିଲା। ୨୦୦୦ ମସିହାରେ ବିଜେଡି ବାଜି ମାରିଥିଲା । ୨୦୦୪ରେ ବାଙ୍କୀରେ କଂଗ୍ରେସ ପ୍ରାର୍ଥୀ ୫୮ ହଜାର ୧୦୬ ଭୋଟ୍ ପାଇ ଜିତିଥିବା ବେଳେ ବିଜେଡି ୫୬ ହଜାର ୯୩୯ ଓ ସ୍ବାଧୀନ ପ୍ରାର୍ଥୀ ୨ ହଜାର ୬୨୦ ଭୋଟ୍ ପାଇଥଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୭୦ ହଜାର ୭୩୧ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସର ଦେବାଶିଷ ପଟ୍ଟନାୟକ ୪୬ ହଜାର ୨୮୬, ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୮ ହଜାର ୫୬ ଭୋଟ ପାଇଥିଲେ ।

୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୮୫ ହଜାର ୬୩୨ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୪୨ ହଜାର ୯ , ବିଜେପି ପ୍ରାର୍ଥୀ ୮ ହଜାର ୬୬୩, ସ୍ୱାଧୀନ ପ୍ରାର୍ଥୀ  ୪ ହଜାର ୨୫୧ ଭୋଟ୍ ଓ ଆପ ୧ ହଜାର ୩୩୬ ଭୋଟ୍ ପାଇ ପରାଜିତ ହୋଇଥିଲେ । ୨୦୧୯ରେ ଦେବୀରଞ୍ଜନ ତ୍ରିପାଠୀ ମଇଦାନକୁ ଓହ୍ଲାଇଥିଲେ।  ସେ  ୭୪ ହଜାର ୫୯୯ ଭୋଟ୍ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୫୦ ହଜାର ୪୮୧,  ବିଜେପି ପ୍ରାର୍ଥୀ ୩୨ ହଜାର ୫୪୧ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଗତ ୫ ବର୍ଷ ମଧ୍ଯରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନତିମୂଳକ କାର୍ଯ୍ଯ ହୋଇଛି। ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସାଙ୍ଗକୁ ମାଆ ଚର୍ଚ୍ଚିକା ମନ୍ଦିରର ହୋଇଛି ଉନ୍ନତିକରଣ। ଏଥିସହିତ ଇନଡୋର ଷ୍ଟାଡିୟମ, ମିନି ଷ୍ଟାଡିୟମ, ସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି।