ନନ୍ଦିଘୋଷ ବ୍ୟୁରୋ: ଦୀପାବଳୀରେ ଫ୍ୟାନ୍ସଙ୍କୁ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସରପ୍ରାଇଜ୍ । ରବିବାର ଦୀପାବଳୀ ଅବସରରେ ପୁଅ ବିହାନ୍ ସହ ଫଟୋ ସେୟାର କରିଛନ୍ତି ଭିକି ଓ କ୍ୟାଟ୍ରିନା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଣ୍ଟାଗ୍ରାମରେ ପୁଅ ବିହାନ୍ ସହ କ୍ୟାଟ୍ରିନା ଓ ଭିକି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ବଲିଉଡ଼ଠୁ ଆରମ୍ଭ କରି ସାଧାରଣରେ ସବୁଠି ଚର୍ଚ୍ଚା । ପୁଅ ବିହାନ୍ ର ଫଟୋ ସେୟାର କରି କ୍ୟାଟ୍ରିନା ଓ ଭିକି ଲେଖିଛନ୍ତି, “ଆମର ସବୁଠାରୁ ଉଜ୍ଜ୍ୱଳ ଦୀପାବଳି! ପ୍ରେମ, ଆଲୋକ ଓ ଖୁସିରେ ପରିପୂର୍ଣ୍ଣ ଦୀପାବଳିର ଶୁଭକାମନା। ଭିକି, କ୍ୟାଟ୍ରିନା ଓ ବିହାନ୍।”
ଫଟୋରେ କ୍ୟାଟ୍ରିନା ଏକ ହଳଦିଆ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ଭିକି ଏକ ଧଳା ରଙ୍ଗର ଡିଜାଇନର୍ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି । ଫଟୋରେ, ବିହାନ୍ ବାପା ବିକିଙ୍କ ପରି ଧଳା କୁର୍ତ୍ତା-ପାଇଜାମା ଓ ମାଆ କ୍ୟାଟ୍ରିନାଙ୍କ ସହ ମ୍ୟାଚ୍ କରି ହଳଦିଆ ରଙ୍ଗର ନେହେରୁ ଜ୍ୟାକେଟ୍ ପିନ୍ଧିଛନ୍ତି।
ଶନିବାର ଅର୍ଥାତ୍ ନଭେମ୍ବର ୭ ତାରିଖରେ ବିହାନ୍ ଙ୍କ ଜନ୍ମଦିନ ଥିଲା । ଆଜି ବିହାନ ଗୋଟିଏ ବର୍ଷ ଓ ଗୋଟିଏ ଦିନ ପୂରଣ କରିଥିବା ବେଳେ ଦିପାବଳୀ ଅବସରରେ ବେବି ବିହାନଙ୍କ ଫଟୋ ସେୟାର କରିଛନ୍ତି କ୍ୟାଟ୍ରିନା ଓ ଭିକି । ସୋସିଆଲ ମିଡ଼ିଆରେ ବିହାନ୍ ଙ୍କ ଫଟୋ ସେୟାର ହେବା ମାତ୍ରେ ଲାଇକ ଓ କମେଣ୍ଟର ସୁଅ ଛୁଟିଛି। ସେଲିବ୍ରିଟିମାନେ ମଧ୍ୟ ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ କରିବାକୁ ପଛେଇ ନାହାନ୍ତି । ସେୟାର ହୋଇଥିବା ପୋଷ୍ଟରେ ବର୍ତ୍ତମାନ ସୁଦ୍ଧା ୨.୧ ମିଲିୟନ୍ ଲାଇକ ହୋଇଥିବା ୪ ହଜାରୁ ଅଧିକ କମେଣ୍ଟ ଆସିଥିବା ଦେଖିବାକୁ ମିଳିଛି ।

