ତ୍ରିଶୂଳିଆ, ନରଣପୁର, କୃଷ୍ଣଚନ୍ଦ୍ରପୁରରେ ବିଳମ୍ବିତ ରାତି ଯାଏଁ ଉଡିଲା ମାଳ ମାଳ ଡ୍ରୋନ୍

ବାଙ୍କୀ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ଅଥଚ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ବିଳମ୍ବିତ ରାତିରେ ଉଡିଲା ମାଳମାଳ ଡ୍ରୋନ । ପ୍ରଥମେ ବାରଙ୍ଗ ରତାଗଡ଼, ଗୋଡିସାହି, ଷଣ୍ଢପୁର ଅଞ୍ଚଳରେ ଉଡିଥିଲା ଏକାଧିକ ଡ୍ରୋନ । ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ତ୍ରିଶୂଳିଆ , ନରଣପୁର, କୃଷ୍ଣଚନ୍ଦ୍ରପୁର ସମେତ ଆଖପାଖ ଅଞ୍ଚଳରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । କିଏ ଉଡାଇଲା ଡ୍ରୋନ ? କାହିଁକି ଏତେ ସଂଖ୍ଯାରେ ଡ୍ରୋନ ଉଡାଇଲା ? ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ ।
କିଛି ଦିନ ତଳେ ଛେଣ୍ଡିପଦାରେ ମଧ୍ଯ ଉଡିଥିଲା ଡ୍ରୋନ । ଛେଣ୍ଡିପଦା ଥାନା ପରିସରରୁ ଜିଏମଡିସି କମ୍ପାନୀ ପକ୍ଷରୁ ଡ୍ରୋନ ଉଡାଯାଇଛି । କମ୍ପାନୀ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଛେଣ୍ଡିପଦାରେ ଡ୍ରୋନ ଉଡାଇଛି । ଛେଣ୍ଡିପଦା ତହସିଲଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ସର୍ଭେ କରାଯିବ ନାହିଁ ବୋଲି କହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନମାନି ଡ୍ରୋନ ଉଡାଇଛନ୍ତି । ଯାହାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ସାଲୁଇଖମଣ ହାଣ୍ଡିଗୋଡା ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏପଟେ ଅନୁଗୁଳ ଏସଡିପିଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏହି ବିଷୟରେ ଜାଣି ନଥିବା ପ୍ରକାଶ କରିଛନ୍ତି । ବିନା ପରମିଶନରେ ଡ୍ରୋନ ଉଡ଼ାଉଥିବା ବ୍ୟକ୍ତିଙ୍କ ଉପରେ କଡା ଆକ୍ସନ ନେବାକୁ ଦାବି ହେଉଛି ।