spot_img

Latest Posts

ବରଗଡ଼ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀ ସାବ୍ୟସ୍ତ ଅପରାଧୀକୁ ଫାଶୀ ଦଣ୍ଡ…

ବରଗଡ଼ : ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିଲା ଫାଶୀ ଦଣ୍ଡ। ପୋକସୋ ଆଇନରେ ଦୋଷୀ ସାବ୍ଯସ୍ତ ହେଲ ଅପରାଧୀ ପ୍ରଶାନ୍ତ ବାଗ। ୨୦୨୪ରେ ୬ବର୍ଷ ଝିଅକୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରି ହତ୍ଯା କରିଥିଲା ପ୍ରଶାନ୍ତ ବାଗ। ଘଟଣା ଥିଲା ଏମିତି। ୨୦୨୪ ମସିହା ନଭେମ୍ବର ୧୫ ତାରିଖ। ନାବାଳିକା ପୀଡ଼ିତାଙ୍କୁ ମାଛ ଧରିବା ନାଁରେ ପୋଖରୀ କୂଳକୁ ଡାକି ନେଇ ଦୁଷ୍କର୍ମକାରୀ ପ୍ରଶାନ୍ତ ବାଗ ଘଟାଇଥିଲା ପାଶବିକ କାଣ୍ଡ। ଘଟଣା ସମ୍ପର୍କରେ କେହି ଜାଣିଯିବା ଆଶଙ୍କା କରି ପୀଡ଼ିତାଙ୍କୁ ମାରିବାକୁ ମଧ୍ଯ ପଛାଇନଥିଲା ଏହି ନରପିଶାଚ। ଏକ ବେଲଟରେ ବେକକୁ ଚାପିବା ସହିତ ମୁଣ୍ଡକୁ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ଯା କରିଥିଲା ଅଭିଯୁକ୍ତ। ପରେ ନାବାଳିକାର ମୃତଦେହକୁ ନିକଟରେ ଥିବା ଏକ ଧାନ ବିଲରେ ଫିଙ୍ଗିଦେଇଥିଲା ହତ୍ଯାକାରୀ ପ୍ରଶାନ୍ତ। ପରବର୍ତ୍ତୀ ସମୟରେ ପୀଡ଼ିତା ଜଣଙ୍କୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଅଭିଯୁକ୍ତକୁ ପଚରାଉଚରା କରିଥିଲେ। ଅଭିଯୁକ୍ତର ଗାଲରେ ରକ୍ତଛିଟା ଦେଖି ପରିବାର ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା। ହେଲେ କିଛି ଜାଣି ନଥିବା ଭଳି ଅଭିନୟ କରିଥିଲା ହତ୍ଯାକାରୀ ପ୍ରଶାନ୍ତ। ଏ ନେଇ ପାଇକମାଳ ଥାନାରେ ଏକ ନିଖୋଜ ରିପୋର୍ଟ ଋଜୁ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତକାରୀ ଅଧିକାରୀ ଭାବେ ତତ୍କାଳୀନ ପଦମପୁର ଆଇଆଇସି ମମତା ନାୟକ ଘଟଣାର ତଦନ୍ତ ବେଳେ ପୂରା କ୍ରାଇମ ସ୍ପଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ଯା କରି ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଦେଇଥିଲା ନରପିଶାଚ ପ୍ରଶାନ୍ତ ବାଗ। ଏ ନେଇ ଥାନାରେ ମାମଲା ଋଜୁ କରିବା ସହ ତ୍ବରିତ ଦଣ୍ଡ ବିଧାନ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଏସପି। ରକ୍ତ ନମୁନାକୁ ଭୁବନେଶ୍ବର ସ୍ଥିତ ରାଜ୍ଯ ଫରେନସିକ ଲ୍ଯାବକୁ ପଠାଯାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତି, ସାଇଣ୍ଟିଫିକ ଏଭିଡେନସକୁ ଗୁରୁତର ସହ ବିଚାରକୁ ନିଆଯାଇଥିଲା। ଆଉ ମାତ୍ର ୨୦ ଦିନ ଭିତରେ ତଦନ୍ତ ସାରି ଚାର୍ଜସିଟ ଦାଖଲ କରିଥିଲା ପୋଲିସ। ଏହାସହ ପୋକସୋ ଆଇନ ଅନ୍ତର୍ଗତ କେସଟି ପଞ୍ଜୀକୃତ ହେବା ପରେ ୩୭ ଜଣଙ୍କ ସାକ୍ଷ୍ଯ ଗ୍ରହଣ, ୫୫ଟି ଡକ୍ଯୁମେଣ୍ଟ ଆଧାରରରେ ଅଭିଯୁକ୍ତ ବିରୋଧରେ ଅପରାଧ ପ୍ରମାଣିତ ହୋଇଥିଲା। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷୀ ବିରୋଧରେ ଶୁଣାଇଛନ୍ତି ଦୃଷ୍ଟାନ୍ତମୂଳକ ଫାଶୀ ଦଣ୍ଡାଦେଶ। ଘଟଣାକୁ ରେୟାରେଷ୍ଟ ଅଫ ରେୟାର ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଡିସେମ୍ବର ୨୬ ତାରିଖରେ ପୋକସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ଯସ୍ତ କରିଥିଲେ। ଆଜି ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଏଡିଜେ କୋର୍ଟ। ଖାଲିସେତିକି ନୁହେଁ. ଦୁଷ୍କର୍ମ ପୀଡ଼ିତାଙ୍କୁ ଏତେ କମ ସମୟରେ ନ୍ଯାୟ ପ୍ରଦାନ କରିବା ନ୍ଯାୟିକ ପ୍ରକ୍ରିୟାର ବିଶ୍ବସନୀୟତାକୁ ମଜବୁତ କରିଛି।. ସେପଟେ ଏହି ଦଣ୍ଡାଦେଶ ପରେ ପୋଲିସ ଡିଜି ୱାଇ.ବି ଖୁରାନିଆ ବରଗଡ଼ ଏସପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Latest Posts

Don't Miss