ଇଞ୍ଜେକସେନ ଦେବା ପରେ ପରେ ଚାଲିଗଲା ବାଳକର ଜୀବନ। ପ୍ରତିବାଦରେ ଲୋକେ କରିଛନ୍ତି ହସ୍ପିଟାଲ ଭଙ୍ଗାରୁଜା। ଡାକ୍ତରଖାନାର ଆସବାବପତ୍ରକୁ ଲୋକେ କରିଛନ୍ତି ଭଙ୍ଗାରୁଜା। ଘଟଣା ଘଟିଛି ବାସୁଦେବପୁର CHCରେ । ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତର ମେଳକ ସାହିର ଦେବକାନ୍ତ ବାରିକଙ୍କ ୧୪ ବର୍ଷର ପୁଅ ମୁକେଶ ଖେଳୁଥିବା ବେଳେ ଅଘଟଣ ଘଟିବାରୁ ତାର ଗୋଡ ଛିଡି ଯାଇଥିଲା । ପ୍ରାଥମିକ ଚିକିତ୍ସା ପାଇଁ ଏଡତାଳ PHC କୁ ନିଆଯାଇଥିଲା। ପରେ ତାକୁ ବାସୁଦେବପୁର CHC ରେ ଦେଖାଇ ଥିଲେ । ଡାକ୍ତର ଇଞ୍ଜେକ୍ସନ ଲେଖିଥିଲେ । ଷ୍ଟାଫ ନର୍ସ ତିନିଟି ଇଞ୍ଜେକ୍ସନ ଦେବା ପରେ ଶିଶୁଟି ବାନ୍ତି କରିଥିଲା । ବେଡ ଉପରେ ଶୁଆଇ ଦେବାର କିଛି ସମୟ ପରେ ପ୍ରାଣବାୟୁ ଉଡି ଯାଇଥିଲା । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ CHC ରେ ବାସୁଦେବପୁର ପୋଲିସ ପହଞ୍ଚିଥିଲେ । ପୋଲିସ ଉପସ୍ଥିତିରେ ବି ଭଙ୍ଗାରୁଜା ଜାରି ରହିଥିଲା । ଶବକୁ ଡାକ୍ତରଖାନାରୁ ନେଇ CHC ଆଗରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଲୋକେ। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି ।

