ଟ୍ରାଫିକରେ ଫସିଗଲା କାର୍, ରୋଗୀଙ୍କ ସର୍ଜରୀ ପାଇଁ ୩କି.ମି. ଦୌଡ଼ିଲେ ଡାକ୍ତର

1 min read

ବେଙ୍ଗାଲୁରୁ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଏବଂ ଏହାକୁ ସତ ପ୍ରମାଣିତ କରିଛନ୍ତି ବେଙ୍ଗାଲୁରୁର ଜଣେ ଡାକ୍ତର । ନିଜ ଦାୟିତ୍ୱ ପୂରଣ କରିବା ପାଇଁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସବୁଆଡ଼ୁ ପ୍ରଶଂସା କରାଯାଉଛି । ବେଙ୍ଗାଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର ଏବେ ନିଜ କାର୍ଯ୍ୟ ପାଇଁ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସୂଚନାଯୋଗ୍ୟ, ସର୍ଜରି ପାଇଁ ଯାଉଥିବା ଡାକ୍ତରଙ୍କ କାର୍ ଭୀଷଣ ଟ୍ରାଫିକରେ ଫସିଯାଇଥିଲା । ଏହାପରେ ସେ ଦୌଡ଼ି ଦୌଡ଼ି ମେଡିକାଲ ଯାଇଥିଲେ ।

ଗତ ୩୦ ଅଗଷ୍ଟରେ ମଣିପାଲ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜନ ଡାକ୍ତର ଗୋବିନ୍ଦ ନନ୍ଦକୁମାର ସରଜାପୁର-ମରାଠାହଲ୍ଲି ରାସ୍ତାରେ କାରରେ ଯିବା ସମୟରେ ଟ୍ରାଫିକରେ ଫସିଯାଇଥିଲେ । ଏକ ସର୍ଜରି କରିବା ପାଇଁ ସେ ହସ୍ପିଟାଲ ଯାଉଥିଲେ । ଯେତେବେଳେ ଡାକ୍ତର ଜାଣିବାକୁ ପାଇଲେ ଯେ ଟ୍ରାଫିକ କ୍ଲିୟର ହେବା ପାଇଁ ଦୀର୍ଘ ସମୟ ଲାଗିବ ସେତବେଳେ ସେ କାର୍ ଛାଡି ଦୌଡିବାକୁ ଲାଗିଥିଲେ ।

ତାଙ୍କର ପ୍ରଥମ ରୋଗୀ ସର୍ଜରି ପାଇଁ ଅପେକ୍ଷାରେ ଥିଲେ । ଏହି କାରଣରୁ କିଛି ନଭାବି ନିଜ ଦାୟିତ୍ୱ ତୁଲାଇବା ପାଇଁ ସେ କାର୍ ଛାଡି ହସ୍ପିଟାଲ ଅଭିମୁଖେ ଦୌଡ଼ିଥିଲେ । ତେବେ କେବଳ ଜଣେ ରୋଗୀ ନୁହେଁ ଅନ୍ୟ କିଛି ରୋଗୀ ମଧ୍ୟ ସର୍ଜରି ପାଇଁ ତାଙ୍କୁ ଅପେକ୍ଷା କରିଥିଲେ । ହସ୍ପିଟାଲରେ ପହଞ୍ଚିବା ପାଇଁ ଟ୍ରାଫିକଠୁ ପ୍ରାୟ ୩ କିଲୋମିଟର ଦୌଡିବାକୁ ଲାଗିଥିଲେ ।

ଏବଂ ଏହି ଦୂରତା ପୂରା କରିବା ପାଇଁ ତାଙ୍କୁ ପ୍ରାୟ ୪୫ ମିନିଟ ସମୟ ଲାଗିଥିଲା । ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ସଫଳ ଅସ୍ତୋରପଚାର ମଧ୍ୟ କରିଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ନନ୍ଦକୁମାର କହିଛନ୍ତି, ”ମୋତେ କନିଂଘମ ରୋଡରୁ ସରଜାପୁରର ମଣିପାଲ ହସ୍ପିଟାଲରେ ପହଞ୍ଚିବାର ଥିଲା । ଭୀଷଣ ବର୍ଷା ଏବଂ ଜଳମଗ୍ନ କାରଣରୁ ହସ୍ପିଟାଲଠୁ କିଛି କିଲୋମିଟର ଦୂରରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା ।

ଯାତାୟତ ସ୍ବାଭାବିକ ହେବାର କୌଣସି ସଙ୍କେତ ନମିଳିବାରୁ, ମୁଁ ନିଜ କାରରୁ ବାହାରକୁ ବାହାରିଥିଲି ଏବଂ ନିଜ ରୋଗୀଙ୍କୁ ଦେଖିବା ପାଇଁ ହସ୍ପିଟାଲ ପହଞ୍ଚିବା ପର୍ଯ୍ୟନ୍ତ ପ୍ରାୟ ୪୫ ପର୍ଯ୍ୟନ୍ତ ଦୌଡ଼ିଥିଲି । ସେ କହିଥିଲେ ଯେ, ମୁଁ ଟ୍ରାଫିକ କ୍ଲିୟର ହେବା ପର୍ଯ୍ୟନ୍ତ ଅପେକ୍ଷା କରି ସମୟ ନଷ୍ଟ କରିବାକୁ ଚାହୁଁନଥିଲି । କାରଣ ମୋ ରୋଗୀଙ୍କୁ ସର୍ଜରୀ ସମାପ୍ତ ହେବା ପର୍ଯ୍ୟନ୍ତ ଭୋଜନ କରିବାକୁ ଅନୁମତି ନଥିଲା । ମୁଁ ତାଙ୍କୁ ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଇବାକୁ ଚାହୁଁନଥିଲି ।”